ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟରେ କଡ଼ା ବୟାନ ରଖିଲେ ପ୍ରଦୀପ୍ତ ନାଏକ

ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟରେ କଡ଼ା ବୟାନ ରଖିଲେ ପ୍ରଦୀପ୍ତ ନାଏକ
ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟରେ କଡ଼ା ବୟାନ ରଖିଲେ ପ୍ରଦୀପ୍ତ ନାଏକ

ଭୁବନେଶ୍ୱର,  ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତବ୍ୟର କଡା ଜବାବ ରଖି ପ୍ରଦୀପ୍ତ ନାଏକ କହିଛନ୍ତି କି, ବିଜେପି ଶସ୍ତା ରାଜନୀତି କରେ ନାହିଁ। ଲୋକଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ଲଢେଇ କରେ। ହତ୍ୟାକାଣ୍ଡ ଘଟିଥିବା ପଞ୍ଚାୟତରେ ଅଧିକ ପିଏମ ଆବାସ ଘର ରହିଛି। ସେ କଥାକୁ ବିଜେପି ନେତା କୁଳମଣି ବରାଳ ପଦାକୁ ଆଣିବାରୁ ତାଙ୍କୁ ହତ୍ୟା କରାଯାଇଛି। ପୁଲିସକୁ ୩୦ ଥର ଜୀବନ ପ୍ରତି ବିପଦ ଅଛି ବୋଲି କହିବା ପରେ ମଧ୍ୟ ପଦକ୍ଷେପ ନିଆଗଲାନି। ହତ୍ୟାକଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଏଯାଏଁ ଗିରଫ କାହିଁକି କରାଯାଇନି ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା।

ଆଇନ ମନ୍ତ୍ରୀ ପୂର୍ବରୁ କୁଳମଣିଙ୍କ ପରିବାରକୁ ଧମକ ଦେଇଥିବା କହିଲେ ପ୍ରଦୀପ୍ତ ନାଏକ। ୭ ଦିନ ମଧ୍ୟରେ ଦୋଷୀ ଗିରଫ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହିତ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦୋଷ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ପଦରୁ ଇସ୍ତଫା ଦେବା ଲାଗି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦାବି କରିଛନ୍ତି।

ସେ ପୁଣି ଟୁଇଟ୍ କରି କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ଅତ୍ୟନ୍ତ ବିପର୍ଯ୍ୟସ୍ତ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ସ୍ୱର୍ଗତ ବରାଳ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ପାଇଁ ବହୁଥର ପୁଲିସ ପ୍ରଶାସନକୁ ନିବେଦନ କରିଥିଲେ। ମାତ୍ର ପୁଲିସ ପ୍ରଶାସନ ସୁରକ୍ଷା ଯୋଗାଇ ଦେବା ପରିବର୍ତ୍ତେ ବାରମ୍ବାର ବେଖାତିର ମନୋଭାବ ପ୍ରଦର୍ଶନ କରିଥିଲେ। କ୍ଷମତାର ଅହଙ୍କାରରେ ହିଂସା ପରାୟଣ ହୋଇ ଶାସକ ବିଜେଡି ଦଳର କାର୍ଯ୍ୟକର୍ତ୍ତା ମାନେ ଖୋଦ୍ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଶ୍ରୀ କୁଳମଣି ବରାଳଙ୍କୁ ଏଭଳି ନିର୍ମମ ଭାବରେ ହତ୍ୟା କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି।

ସୂଚନା ଅନୁସାରେ ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକାଣ୍ଡ ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଏତଲା ପରେ ମନ୍ତ୍ରୀ ମନ୍ତବ୍ୟ ରଖିଥିଲେ। ସେ କହିଥିଲେ କି ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ ବୋଲି ବିରୋଧୀ ରାଜନୈତିକ ଦଳମାନେ ଚାହୁଁଛନ୍ତି କି ନାହିଁ ତାହା ବଡ ପ୍ରଶ୍ନବାଚୀ। ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ବିରୋଧୀ ଦଳ ବିଜେପି ଚାହୁଁଛି। ଆମ ନାଁ ରେ ଏତଲା ହୋଇଛି ଏବଂ ସବୁ ତଦନ୍ତରେ ଜଣାପଡିବ। ଏଥିସହିତ ବିଜେପି ଯାହା କରିବା କଥା କରୁ ଏବଂ ଆମେ ଯାହା କରିବା କଥା କରିବୁ ବୋଲି ଶ୍ରୀ ଜେନା କହିଥିଲେ। ଏହି ଘଟଣାର ପୁଲିସ ୫ଟି ଟିମ ଗଠନ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।