ଆଉ ୩ଦିନ ଥରିବ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Sashi
Dec 21, 2020
98
0
ଭୁବନେଶ୍ୱର, ରାଜ୍ୟରେ ହାଡ଼ଭଙ୍ଗା ଶୀତ ଆହୁରି ୩ ଦିନ ଜାରି ରହିବ। ୨୩ ତାରିଖ ସକାଳ ଯାଏ ରାଜ୍ୟରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ଚିଠି ଲେଖି ସତର୍କ କରାଇଛନ୍ତି।
ସୂଚନା ମୂତାବକ, ରାଜ୍ୟରେ ଥଣ୍ଡା ବୃଦ୍ଧିପାଉଥିବାବେଳେ ୨୧ ଓ ୨୨ ତାରିଖ ଦୁଇ ଦିନ ଅତ୍ୟଧିକ ଥଣ୍ଡା ନେଇ ପାଣିପାଗ ବିଭାଗ ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରିଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ୫ ଜିଲ୍ଲା ଯଥାକ୍ରମେ ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ଶୀତର ପରିମାଣ ଅଧିକ ରହିବ। ଫଳରେ ଜନସାଧାରଣଙ୍କୁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବ। ବିଶେଷ କରି ଥଣ୍ଡା ଜନୀତ ସ୍ୱାସ୍ଥ୍ୟଗତ ସମସ୍ୟା ଅଧିକ ମାତ୍ରାରେ ନଜରକୁ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏହି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ରାତିରେ ଘରୁ ନ ବାହାରିବା ସହ ଏହା କିଛି ଉପଚାର କରିବାକୁ କୁହାଯାଇଛି। ରାତିରେ ଦୁଇ ଚକିଆ ଯାନ କିମ୍ବା ଖୋଲାକାରରେ ନବୁଲିବା ଲାଗି ପରାମର୍ଶ ଦିଆଯାଇଛି। ଏଥିସହ ବୈଦ୍ୟୁତିକ ଉପକରଣ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ନିଆଁ ବ୍ୟବହାରବେଳେ ସୁରକ୍ଷା ଉପକରଣ ବ୍ୟବହାର ପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଅସହାୟ ଓ ବାସଗୃହ ନଥିବା ଲୋକଙ୍କ ଲାଗି ବିଦ୍ୟାଳୟ କୋଠା, ଗୋଷ୍ଠୀ କେନ୍ଦ୍ର ଓ ଅନ୍ୟ କୋଠାରେ ଆଶ୍ରୟସ୍ଥଳ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ପୋଷ୍ୟ ଜୀବଜନ୍ତୁଙ୍କୁ ରାତି ସମୟରେ ଏକ ଆବଦ୍ଧ କୋଠରୀରେ ଘୋଡ଼ାଇ ରଖିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଥିବା ବିବୃତ୍ତିରେ ନଜରକୁ ଆସିଛି। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୧୧ ଜିଲ୍ଲା କୋରାପୁଟ, କନ୍ଧମାଳ, ବାଲେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ, କଟକ ଓ ଦେବଗଡ଼ରେ ମଧ୍ୟ ଶୀତର ପ୍ରକୋପ ଅନୁଭୂତ ହେବାକୁ ଥିବାବେଳେ ଏହାର ପରିମାଣ ଉପରୋକ୍ତ ୫ ଜିଲ୍ଲା ଅପେକ୍ଷା କମ୍ ଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏହି ଶୀତର ଲହରୀ ଆସନ୍ତା ୨୩ ତାରିଖ ସକାଳ ଯାଏ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ୨୩ ତାରିଖ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୨୩ ସକାଳେ କୋରାପୁଟ, କନ୍ଧମାଳ, ଢେଙ୍କାନାଳ, ବାଲେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ ଅଧିକ ଶୀତର ପ୍ରବାହ ଅନୁଭବ ହେବାର ସମ୍ଭାବନା ରହିଥିବା ବିଭାଗ ପୂର୍ବାନୁମାନ କରିଛି।
ତେବେ ମଙ୍ଗଳବାରଠାରୁ ରାଜ୍ୟରେ ଥଣ୍ଡା କିଛି ମାତ୍ରାରେ କମିବା ଓ ୨୭ରୁ ଆଉ କିଛି ମାତ୍ରାରେ କମିବ। ପାଗ ଶୁଖିଲା ଓ ଖରାଟିଆ ରହିବ, ଦିନର ତାପମାତ୍ରା ମଧ୍ୟ କ୍ରମଶଃ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ରବିବାର ଗୁରୁଚାପ ବଳୟ ଉତ୍ତର ପଶ୍ଚିମ ଭାରତରେ ରହିଥିଲା। ମଙ୍ଗଳବାର ଏହା ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ରହିବ। ଫଳରେ ଉତ୍ତରା ଥଣ୍ଡା ପବନ ରାଜ୍ୟକୁ ସିଧା ବହିବାରେ ବାଧା ଉପୁଜିବ। ଆସନ୍ତା ୨୬ ତାରିଖ ଅର୍ଥାତ୍ ଶନିବାର ଏହାର ପ୍ରଭାବ ଅଧିକ ରହିବ ବୋଲି ସେ କହିଛନ୍ତି।
Comments (0)