ଆତ୍ମସମର୍ପଣ କଲେ ୨ ଦୁର୍ଦ୍ଦାନ୍ତ ମାଓବାଦୀ

ଆତ୍ମସମର୍ପଣ କଲେ ୨ ଦୁର୍ଦ୍ଦାନ୍ତ ମାଓବାଦୀ

ରାୟଗଡ଼ା ପୁଲିସ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ଦ୍ୱୟ ହେଲେ ସୁନାବେଡ଼ା ଏରିଆ କମିଟି ତଥା ମେନପୁର-ନୂଆପଡ଼ା ଡିଭିଜନର ଏରିଆ କମିଟି ସଦସ୍ୟ ମଙ୍କୁ ଓୟାମ ଓରଫ ଜୟରାମ ଓ କେକେବିଏନ କମିଟିର ସଦସ୍ୟ ଲାଛୁ ମାଡ଼କାମ । ଜୟରାମଙ୍କ ନାଁରେ ୪ଲକ୍ଷ ଟଙ୍କା ଓ ଲାଛୁ ନାଁରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାର ଘୋଷଣା କରିଥିଲେ। ଉଭୟ ଜୟରାମ ଓ ଲାଛୁ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୧ରେ ମାଓ ସଙ୍ଗଠନରେ ଯୋଗ ଦେଇଥିବା ଛତିଶଗଡ଼ କ୍ୟାଡର ମଙ୍କୁ ଓରଫ ଜୟରାମ ୨୦୧୮ରେ ଓଡ଼ିଶାର କଳାହାଣ୍ଡି ଓ ରାୟଗଡ଼ାରେ କାମ କରୁଥିବା ବଂଶଧାରା-ଘୁମୁଶର-ନାଗାବଳୀ ଡିଭିଜନଙ୍କୁ ଟ୍ରାନ୍ସଫର ହୋଇଥିଲା । ଉଭୟଙ୍କ ନାଁରେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ବହୁ ମାମଲା ରହିଛି। ଏମାନେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ବୌଦ୍ଧ ଆଦି ଜିଲ୍ଲାରେ ବିଭିନ୍ନ ସମୟରେ ହତ୍ୟାକାଣ୍ଡ, ଗୁଳି ବିନିମୟ, ନିର୍ବାଚନ ସମୟରେ ଗାଡ଼ି ଓ ଏଭିଏମ ମେସିନ୍ ପୋଡ଼ି ଘଟଣାରେ ସଂପୃକ୍ତ ଥଲେ। ଏହି ମାଓବାଦୀମାନେ ଓଡ଼ିଶା ସଂଗଠନରେ ସକ୍ରିୟ ଥିବାବେଳେ ଭାଷା ସମସ୍ୟା ସଂଗଠନରେ ନାରୀଙ୍କୁ ଅତ୍ୟାଚାର, ଠିକ ଭାବରେ ଖାଦ୍ୟ ଓ ବସ୍ତ୍ର ନମିଳିବା ଓ ମାଓ ନେତାଙ୍କ ଦ୍ୱାରା ନିର୍ୟାତିତ ହେବା ଯୋଗୁ ଦଳ ଛାଡ଼ିଥିବା କହିଛନ୍ତି। ଆତ୍ମସମର୍ପଣ କରିବା ପରେ ରାଜ୍ୟ ସରକାରଙ୍କର ନକ୍ସଲ ଥଇଥାନ ନୀତି ଅନୁଯାୟୀ ଏମାନଙ୍କୁ ସମସ୍ତ ସୁବିଧା ଦିଆଯିବ ବୋଲି ଏସପି ବିବେକାନନ୍ଦ ଶର୍ମା କହିଛନ୍ତି । ମାଓ ସଂଗଠନରେ ଦିନକୁଦିନ ମାନସିକ ନିର୍ୟାତନା, ଯୌନ ଶୋଷଣ ଓ ଅତ୍ୟାଚାର ବଢ଼ୁଥିବାରୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଏଭଳି ଅନେକ ମାଓବାଦୀ ପ୍ରସ୍ତୁତ ଥିବା ଜୟରାମ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।