ଆନ୍ଧ୍ରର ଜିଦ ରହିଲା: କୋଟିଆରେ ହେଲା ଭୋଟ ଗ୍ରହଣ

ଆନ୍ଧ୍ରର  ଜିଦ ରହିଲା: କୋଟିଆରେ ହେଲା ଭୋଟ ଗ୍ରହଣ
ଆନ୍ଧ୍ରର  ଜିଦ ରହିଲା: କୋଟିଆରେ ହେଲା ଭୋଟ ଗ୍ରହଣ

କୋରାପୁଟ:ରାଜ୍ୟ ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନର ଅନୁରୋଧ ସହ ଅଦାଲତର ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର ପ୍ରଦେଶ ସରକାର ବିବାଦୀୟ କୋଟିଆ ପଞ୍ଚାୟତରେ ନିର୍ବାଚନ କରିଛନ୍ତି। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଜୟନଗରମ୍ ଜିଲ୍ଲା ସାଲୁର ମଣ୍ଡଳର ଅଧିକାରୀମାନେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗଠିତ ଫାଟୁସିନେରୀ ପଞ୍ଚାୟତରେ ଭୋଟ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ,କୋଟିଆ ପଞ୍ଚାୟତର ୨୧ଟି ବିବାଦୀୟ ଗ୍ରାମକୁ ନେଇ ଆନ୍ଧ୍ର ସରକାର ଫାଟୁସିନେରୀ, ଫଗୁଣସିନେରା ଓ ତଳଗଂଜେଇପଦର ୩ଟି ପଞ୍ଚାୟତ ଗଠନ କରିଛନ୍ତି। ଆଜି ଆନ୍ଧ୍ରରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଫାଟୁସିନେରୀ ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଇଛି। ଫାଟୁସିନେରୀ ପଞ୍ଚାୟତରେ କୋଟିଆର ବିବାଦୀୟ ଚିକିପାର୍, କୋନାଦରା, ଡୋଳିଆମ୍ବ, ବର୍ଣାପାଡୁ, ଫାଟୁସିନେରୀ ସମେତ ଆନ୍ଧ୍ର ପ୍ରଦେଶର ଏଲିଙ୍ଗିବାଲସା ଓ ବନଙ୍ଗବାଲସା ରହିଛି। ଫାଟୁସିନେରି ଚର୍ଚରେ ଭୋଟ ଗ୍ରହଣ କେନ୍ଦ୍ର ଖୋଲାଯାଇ ଶନିବାର ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଇଛି। ଫାଟୁସିନେରୀ ପଞ୍ଚାୟତରେ ମୋଟ ୫୪୦ ମହିଳାଙ୍କ ସମେତ ୧,୦୨୫ ଜଣ ଭୋଟର ଥିବାବେଳେ ନିର୍ବାଚନରେ ୨ଜଣ ସରପଞ୍ଚ ପ୍ରାର୍ଥୀ ଓ ୮ଟି ୱାର୍ଡରେ ୧୬ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୨ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାର ମାଳତୀ ହେଲେକା ନିର୍ବାଚନ ଲଢୁଥିବାବେଳେ ଆନ୍ଧ୍ରର ସୀମାଞ୍ଚଳ ଦୋରା ପ୍ରାର୍ଥୀ ହୋଇଛନ୍ତି। ଶନିବାର ସକାଳେ ଭୋଟ ଗ୍ରହଣ କେନ୍ଦ୍ରରେ ପ୍ରବଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଶାସନ ଦ୍ୱାରା ମତଦାତାଙ୍କୁ ଗାଡ଼ିରେ ଭୋଟ ଗ୍ରହଣ କେନ୍ଦ୍ର ଯାଏ ବୁହା ହେଉଥିବାବେଳେ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଛି। କୋଟିଆକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିବା ବେଳେ ଆନ୍ଧ୍ରର ଏଭଳି ଜବରଦସ୍ତ ନିର୍ବାଚନକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦୁଲ୍ ଅଖତାର୍ ଗତକାଲି ବିଜୟନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ବାଚନ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ହେଁ ଆନ୍ଧ୍ର ପ୍ରଶାସନ ସେଥିପ୍ରତି ଗୁରୁତ୍ୱ ନଦେଇ ନିର୍ବାଚନ ଆୟୋଜନ କରିଛି।