ଆସନ୍ତା ୩ ଦିନ ହାଡ ଭଙ୍ଗା ଶୀତ; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୩ ଦିନ ହାଡ ଭଙ୍ଗା ଶୀତ; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତା ୩ ଦିନ ହାଡ ଭଙ୍ଗା ଶୀତ; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଫଳରେ ଆଗାମୀ ପାଞ୍ଚ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ। ସର୍ବନିମ୍ନ ତାପମାତ୍ରା ବିଭିନ୍ନ ସ୍ଥାନରେ ହ୍ରାସ ପାଇବାରେ ଲାଗିଛି। ୧୭ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ଆସନ୍ତା ୫ ଦିନ ଏହା ଜାରି ରହିବ ଓ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସି ଆସିବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଲହରୀକୁ ଲକ୍ଷ୍ୟ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଅନୁଗୋଳ ରହିଛି।

ଏଥିସହିତ ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ। ସୋମବାର ସକାଳେ କଟକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ରୁ ୭ ଡିଗ୍ରୀ ହ୍ରାସ ପାଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡାରେ ୭.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୫ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୨ରୁ ୪ଡିଗ୍ରୀ ପାରଦ ତଳକୁ ଖସି ଆସିବ। ଏହି ସମୟରେ ଦକ୍ଷିଣ, ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିବ।

ଶୀତ ଲହରୀ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯିବା ପରେ ଏସ୍‌ଆରସି ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିସନଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ନିରାଶ୍ରୟଙ୍କ ପାଇଁ ବିଦ୍ୟାଳୟ ଗୃହ, ଗୋଷ୍ଠୀ କେନ୍ଦ୍ର କକ୍ଷ ଏବଂ ଆବଶ୍ୟକସ୍ଥଳେ ଅନ୍ୟାନ୍ୟ ବିଲ୍ଡିଂରେ ରାତ୍ରି ଆଶ୍ରୟସ୍ଥଳ ବ୍ୟବସ୍ଥା ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି। ଜନସାଧାରଣ ମଧ୍ୟ ରାତି ଓ ସକାଳେ ଘରୁ ନ ବାହାରିବାକୁ ଏସଆରସି ସତର୍କ କରାଇଛନ୍ତି।