ଆହୁରି ୩ ଦିନ କୁହୁଡି

ଆହୁରି ୩ ଦିନ କୁହୁଡି
ଆହୁରି ୩ ଦିନ କୁହୁଡି

ଭୁବନେଶ୍ୱର,  ରାଜ୍ୟର ଅନେକ ସହରରେ ଏବେ ଥଣ୍ଡାର ପରିମାଣ ହ୍ରାସ ପାଇଛି। ଆସନ୍ତା ୧୮ରୁ ୨୦ ଯାଏ ଏହି ତାପାମାତ୍ରାରେ କିଛି ଖାସ୍ ପରିବର୍ତ୍ତନ ନାହିଁ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାକୁ ଛାଡ଼ିଦେଲେ ଉପକୂଳ ଓଡ଼ିଶାରେ ଥଣ୍ଡା ପ୍ରାୟତଃ ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ ପ୍ରକାଶ କରିଥିବାବେଳେ ଜାନୁଆରି ୪ତାରିଖରୁ ୬ ଯାଏ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏନେଇ ସମ୍ପୃକ୍ତ ଜିଲ୍ଳାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୂତାବକ ଜାନୁଆରି ୪ତାରିଖ ସକାଳୁ ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବ। ସେହିପରି ଜାନୁଆରି ୫ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତସିଂହପୁରରେ ଓ ଜାନୁଆରି ୬ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ରେ ସକାଳୁ ଘନ କୁହୁଡି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କୁହୁଡ଼ି ପଡ଼ୁଥିବା ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ। କୁହୁଡି ସମୟରେ ଯେପରି କୌଣସି ଦୁର୍ଘଟଣା ନ ଘଟେ ସେଥିପାଇଁ ପୁଲିସ ଓ ପରିବହନ କାର୍ଯ୍ୟାଳୟଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।