ଏବେ ମୁକୁଳି ପାରିବେନି ପାଠକ ବାପ-ପୁଅ

ଏବେ ମୁକୁଳି ପାରିବେନି ପାଠକ ବାପ-ପୁଅ
ଏବେ ମୁକୁଳି ପାରିବେନି ପାଠକ ବାପ-ପୁଅ

ଭୁବନେଶ୍ୱର,ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ୍ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ବୁଧବାର ଭିଜିଲାନ୍ସ କୋର୍ଟରୁ ଜାମିନ ମିଳିଛି। ମାମଲା ରୁଜୁ କରିବାର ୬୦ ଦିନରେ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରି ନ ପାରିବାରୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି ବୋଲି ପାଠକଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି। ଭିଜିଲାନ୍ସ ମାମଲାରେ ଉଭୟ ବାପ-ପୁଅଙ୍କୁ ଜାମିନ ମିଳିଥିଲେ ହେଁ ସେମାନେ ଏବେ ଜେଲରୁ ମୁକୁଳି ପାରିବେନି । ଠକେଇ ନେଇ ଉଭୟ ବାପ-ପୁଅଙ୍କ ବିରୋଧରେ କ୍ରାଇମ୍ବ୍ରାଞ୍ଚ ସାଇବର ଥାନାରେ ମାମଲା ବିଚାରାଧୀନ ଅଛି।
ଗତ ନଭେମ୍ବର ୨୬ ତାରିଖରେ ଭିଜିଲାନ୍ସ ପକ୍ଷରୁ ୧୯୮୭ ବ୍ୟାଚର ଆଇଏଫଏସ୍ ଅଫିସର ଅଭୟ ପାଠକଙ୍କ ଘର ଏବଂ ଅଫିସରେ ଚଢ଼ଉ କରାଯାଇଥିଲା। ଭୁୂବନେଶ୍ୱର, ମୁମ୍ବାଇ, ପୁଣେ, ରାଜସ୍ଥାନ, ବିହାରରେ ପାଠକଙ୍କ ବିଭିନ୍ନ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ନଗଦ ୬୦ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏଥିସହିତ ୮୦୦ ଗ୍ରାମର ସୁନା ଏବଂ ଅନ୍ୟାନ୍ୟ ଅଳଙ୍କାର ଠାବ ହୋଇଥିଲା। ୨୩ ଲକ୍ଷ ଟଙ୍କାର ଅଳଙ୍କାର କିଣିଥିବା ନେଇ ଦସ୍ତାବିଜ୍ ଭିଜିଲାନ୍ସ ହାତରେ ମଧ୍ୟ ଲାଗିଥିଲା। ଏହାଛଡ଼ା ଆକାଶଙ୍କ ଆକାଉଣ୍ଟରେ ୯ କୋଟି ୪୦ ଲକ୍ଷ ଟଙ୍କା ଜମା ହୋଇଥିବା ନେଇ ଭିଜିଲାନ୍ସ ସୂଚନା ଦେଇଥିଲା। ଯେଉଁଥିରୁ କେବଳ ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମରେ୮କୋଟି ୪୦ଲକ୍ଷ ଟଙ୍କା ଜମା ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା।

ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା ଯେ ପୁଣେରେ ଥିବା ଫାର୍ମ ହାଉସ ଏବଂ ବିଳାସପୂର୍ଣ୍ଣ ଫ୍ଲାଟ ପାଇଁ ପାଠକ କୋଟିଏ ଟଙ୍କା ବ୍ୟୟ କରିଥିଲେ। ଯେଉଁଥିରେ ମୁମ୍ବାଇରେ ଥିବା ତାଜ ପ୍ୟାଲେସରେ ୯୦ ଲକ୍ଷ ଟଙ୍କାର ହୋଟେଲ ବିଲ ଏବଂ ରାଜସ୍ଥାନର ଉଦୟପୁରରେ ଥିବା ତାଜ ଲେକ ପ୍ୟାଲେସରେ ବୁକିଂ ପାଇଁ ଅଗ୍ରୀମ ୨୦ ଲକ୍ଷ ଟଙ୍କାର ବିଲ ଅର୍ନ୍ତଭୁକ୍ତ ଥିଲା। ପାଠକ ପରିବାର ଲକଡାଉନ ସମୟରେ ମାଲେସିଆ, ହଂକଂ, ୟୁକେ, ୟୁଏଇ, ମାଳଦୀପ ଟୁର ପାଇଁ ତିନି କୋଟି ଟଙ୍କାର ଚାଟାର୍ଡ ବିମାନ ବୁକ୍ କରିଥିବା ନେଇ ଭିଜିଲାନ୍ସ ସୂଚନା ଦେଇଥିଲା। ଏହାଛଡା ଅନେକ ବିଳାସପୂର୍ଣ୍ଣ କାର ଏବଂ ବାଇକ ପାଠକ ପରିବାର କିଣିଥିବା ନେଇ ମଧ୍ୟ ସୂଚନା ମିଳିଥିଲା।