କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ, ୩ ମୃତ, ୨ ଗୁରୁତର

କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ, ୩ ମୃତ, ୨ ଗୁରୁତର
କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ, ୩ ମୃତ, ୨ ଗୁରୁତର

କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ଘଟିଛି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, ଆମ୍ବୁଲାନ୍ସଟି ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଯାଉଥିବା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୫ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସରେ ଡ୍ରାଇଭରଙ୍କ ସହ ଜଣେ ବୃଦ୍ଧ, ଜଣେ ମହିଳା, ଜଣେ ଯୁବକ ଏବଂ ୩ ବର୍ଷର ଶିଶୁ ଥିଲେ । ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ରୋଗୀଙ୍କ ସମ୍ପର୍କୀୟ ଯୁବକ ଚାପି ହୋଇ ରହିଯାଇଥିଲେ । ଦୁର୍ଘଟଣାରେ ସ୍ଥଳରେ ଥିବା କିଛି କମ୍ପାନୀ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଭିତରୁ ରୋଗୀ ସହ ତାଙ୍କର ୨ ଜଣ ସମ୍ପର୍କୀୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ ।

ତେବେ ଚାପି ହୋଇ ରହିଯାଇଥିବା ଡ୍ରାଇଭର ସହ ଅନ୍ୟ ଜଣେ ସମ୍ପର୍କୀୟ ଯୁବକଙ୍କୁ ବାହାର କରିବା ସମ୍ଭବ ନ ହେବାରୁ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ  ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାର , ଏନ୍ଏଚଆଇ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି କଟର ସାହାଯ୍ୟରେ ଗାଡିର ଆଗ ଅଂଶ କାଟି ମୃତ ଯୁବକ ଓ ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଭିତରୁ ବାହାର କରିଥିଲେ । ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ । ତେବେ ଗୁରୁତର ଥିବା ୪ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।