କରୋନା ଟିକା ନେଇ ୨ ନର୍ସିଂ ଛାତ୍ରୀ ଗୁରୁତର

କରୋନା ଟିକା ନେଇ ୨ ନର୍ସିଂ ଛାତ୍ରୀ ଗୁରୁତର
କରୋନା ଟିକା ନେଇ ୨ ନର୍ସିଂ ଛାତ୍ରୀ ଗୁରୁତର

ବଲାଙ୍ଗିର ସଦାଇପାଲି ସାଇଟ୍ ନର୍ସିଂ କଲେଜ‌ରେ କରୋନା ଟିକା ନେଇ ୨ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ୨ ଛାତ୍ରୀଙ୍କୁ କଲେଜ ମେଟ୍ରନ୍ ଏକ ଅଟୋରେ ଆଣି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ଛାତ୍ରୀମାନେ ହେଲେ ଜିଏନଏମ୍ ତୃତୀୟ ବର୍ଷ ଛାତ୍ରୀ ସୁନୀତା ସାହୁ ଓ ସ୍ମିତା ସୁନା । ମିଳିଥିବା ରିପୋର୍ଟ ମୁତାବିକ, ସୋମବାର ସାଇଟ୍ ନର୍ସିଂ କଲେଜର ପ୍ରାୟ ୭୦ଜଣ ଛାତ୍ରୀ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ କୋଭିଡ‌ ଟିକାକରଣ କେନ୍ଦ୍ରରେ କୋଭିସିଲଡ୍ ଟୀକା ନେଇଥିଲେ । ପ୍ରାୟ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ଜିଏନଏମ୍ ତୃତୀୟ ବର୍ଷରେ ପଢୁଥିବା କଳାହାଣ୍ଡି ଜିଲ୍ଲା ଡୁଙ୍ଗୁରିଗୁଡ଼ାର ସ୍ମିତା ସୁନା ଓ ଅନୁଗୁଳର ସୁନୀତା ସାହୁ ମଙ୍ଗଳବାର ଅପରାହ୍ନରେ ହୋଷ୍ଟେଲରେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ। ସୁନୀତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଡାକ୍ତରଖାନାର କାଜୁଆଲିଟିରେ ଅକ୍ସିଜେନ୍ ଲଗାଯାଇ ଚିକିତ୍ସା କରାଯାଉଛି । ସ୍ମିତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ହେଲେ ସୁନୀତାଙ୍କୁ ମେଡିକାଲରେ ଅବଜରଭେସନ୍‌ରେ ରଖି ଚିକିତ୍ସା କରାଯାଉଛି । ଭୟ ଯୋଗୁ ଏଭଳି ପରସ୍ଥିତି ଉପୁଜିଥିବା ନେଇ ଅନୁମାନ କରାଯାଉଥିବାବେଳେ ତଦନ୍ତ ପରେ ସଠିକ୍‌ କାରଣ ଜଣାପଡ଼ିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭୀମ ସାହୁ ସୂଚନା ଦେଇଛନ୍ତି।