କୃଷକ ଆନ୍ଦୋଳନକୁ ୧୦୦ ଦିନ ପୂରିଲା

କୃଷକ ଆନ୍ଦୋଳନକୁ ୧୦୦ ଦିନ ପୂରିଲା
କୃଷକ ଆନ୍ଦୋଳନକୁ ୧୦୦ ଦିନ ପୂରିଲା

ନୂଆଦିଲ୍ଲୀ:  କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ୩ ନୂଆ କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ୧୦୦ ଦିନ ପୂରିଛି। ଚାଷୀମାନେ ଏହି ଆଇନକୁ ବିରୋଧ କରି ସିଂଘୁ, ଟିକିରି ଏବଂ ଗାଜିପୁର ସୀମାରେ ଆନ୍ଦୋଳନ କରୁଛନ୍ତି। ସେହିପରି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦେଶ ବନ୍ଦ ଡାକରା ଦିଆଯିବା ସହ ରାଲି ଓ ଧାରଣା ତଥା ଆନ୍ଦୋଳନ କରାଯାଇଛି। ସରକାର ଓ ଚାଷୀଙ୍କ ମଧ୍ୟରେ ବାରମ୍ବାର କଥାବାର୍ତ୍ତା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଚାଷୀମାନେ ନିଜ ଜିଦରେ ଅଟଳ ରହିବା ସହ ୩ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି। ସରକାର ଚାଷୀଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ସୁଦ୍ଧା କୃଷକ ସଂଗଠନ ମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ଇତିମଧ୍ୟରେ କୃଷକଙ୍କ ଆନ୍ଦୋଳନକୁ ୧୦୦ ଦିନ ପୂରିଥିବା ବେଳେ ମାର୍ଚ୍ଚ ୬କୁ ଚାଷୀ କଳା ଦିବସ ଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି। ଆନ୍ଦୋଳନ କଥା ଯଦି କୁହାଯାଏ ତେବେ ପ୍ରଥମ ଦିନରୁ ଏଥିରେ ମହିଳା ଚାଷୀମାନେ ମଧ୍ୟ ସାମିଲ ହେବା ସହ କେଏମପି ଏକ୍ସପ୍ରେସକୁ ବନ୍ଦ କରି ରଖିଛନ୍ତି। ଏହି ନୂଆ ଆଇନ ଲାଗୁ ହେଲେ ମଣ୍ଡି ବ୍ୟବସ୍ଥା, ସର୍ବନିମ୍ନ ସହାୟକ ମୂଲ୍ୟ ଉଚ୍ଛେଦ ହେବା ସହ ଚାଷୀ ସେମାନଙ୍କ ହକ ପାଇବାରୁ ବଞ୍ଚିତ ହେବେ। ଏପରିକି ଚାଷୀଙ୍କ ଜମି ସିଧାସଳଖ ପୁଞ୍ଜିପତିଙ୍କ ହାତକୁ ଚାଲିଯିବ ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ତେବେ ମଣ୍ଡି ବ୍ୟବସ୍ଥା ତଥା ଏମ୍ଏସପି ବ୍ୟବସ୍ଥା ପୂର୍ବରୁ ଥିଲା ଏବଂ ଆଗକୁ ମଧ୍ୟ ରହିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏସବୁ ସତ୍ତ୍ୱେ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ।

୧୦୦ ଦିନରେ ୩୦୮ କୋଟି ଖର୍ଚ୍ଚ:  କୃଷକ ଆନ୍ଦୋଳନକୁ ୧୦୦ ଦିନ ପୂରିଥିବା ବେଳେ ଏହି ଆନ୍ଦୋଳନ ଲାଗି ୩୦୮ କୋଟି ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏଥିରେ ଟ୍ରାକ୍ଟର ର‍୍ୟାଲି, ତା’ ପୂର୍ବର ଆନ୍ଦୋଳନ, ଗଣତନ୍ତ୍ର ଦିବସ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୩୮ ଦିନର ଆନ୍ଦୋଳନ ସାମିଲ ରହିଛି। ଏହା ବ୍ୟତୀତ ୬୦ରୁ ଅଧିକ ଛୋଟ-ବଡ଼ ମହାପଞ୍ଚାୟତର ଖର୍ଚ୍ଚ ମଧ୍ୟ ଏଥିରେ ଯୋଡ଼ାଯାଇଛି। ମିଳିତ କୃଷକ ମୋର୍ଚ୍ଚାର ବରିଷ୍ଠ ସଦସ୍ୟ ହନ୍ନାନ ମୌଲାଙ୍କ କହିବା ଅନୁସାରେ, ପ୍ରତି ଚାଷୀ ନିଜ ନିଜ ଭାଗର ଚାନ୍ଦା ଦେଇଛନ୍ତି ଏବଂ କିଛି ସଂଗଠନ ମଧ୍ୟ ଚାଷୀଙ୍କ ସହଯୋଗ ଲାଗି ହାତ ବଢ଼ାଇଛନ୍ତି।