କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଜି ୧୦ମ ବୈଠକ

କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଜି ୧୦ମ ବୈଠକ
କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଜି ୧୦ମ ବୈଠକ

ଦିଲ୍ଲୀ ସୀମାରେ ଜାରି ରହିଥିବା ବିରୋଧ ପ୍ରଦର୍ଶନକୁ ନେଇ ଆଜି ପୁଣି ଆଲୋଚନା । କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ୧୦ମ ଥର ପାଇଁ ବୈଠକ ବସିବାକୁ ଯାଉଛି । ନୂଆ କୃଷି ଆଇନ୍କୁ ନେଇ ଏହି ବୈଠକ ୧୯ ଜାନୁଆରୀ, ମଙ୍ଗଳବାର ହେବାର ଥିଲା । କିନ୍ତୁ ଏହାକୁ ଗୋଟିଏ ଦିନ ଘୁଞ୍ଚାଯାଇ ୨୦ ଜାନୁଆରୀକୁ ରଖାଯାଇଥିଲା ।

ସରକାରଙ୍କ କହିବା ମୁତାବକ କେନ୍ଦ୍ର ଏବଂ କୃଷକଙ୍କ ମଧ୍ୟରେ ଏହି ଆଇନ୍କୁ ନେଇ ଖୁବ୍ ଶିଘ୍ର ସମାଧାନ ହୋଇଯିବା ଉଚିତ୍ । କିନ୍ତୁ ଏଥିରେ ଅନ୍ୟ ବିଚାରଧାରାର ବ୍ୟକ୍ତି ପ୍ରବେଶ କରିଛନ୍ତି । ଯାହାଫଳରେ ସମାଧାନରେ ବିଳମ୍ୱ ହେଉଛି । ନୂଆ କୃଷି ଆଇନ୍ ଚାଷୀଙ୍କ ହିତ ପାଇଁ ପ୍ରସ୍ତୁତ କରାଯାଇଛି । ଏଥି ସହିତ ସରକାର କହିଛନ୍ତି ଯେ ଯେତେବେଳେ କୈଣସି ଭଲ କାମ ହୁଏ ବା ଯୋଜନା ହୁଏ ସେତେବେଳେ ବହୁତ ବାଧା ବିଘ୍ନ ଆସିଥାଏ । ତେଣୁ ଏହି ଆଇନ୍କୁ ଅଧିକ ସମୟ ଲାଗୁଛି । କାରଣ କୃଷକ ନେତା ନିଜ ନିଜ ଅନୁସାରେ ସମାଧାନ ଚାହୁଁଛନ୍ତି ।

ଅନ୍ୟପଟେ ୨୬ ଜାନୁଆରୀରେ କୃଷକମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ଉପରେ ସୁପ୍ରିମ୍ କୋର୍ଟ ଆଜି ଶୁଣାଣି କରିବେ । ରାଲିକୁ ବନ୍ଦ କରିବା ପାଇଁ ଦିଲ୍ଲୀ ପୋଲିସ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଥିଲେ । କୋର୍ଟ କହିଥିଲେ ଯେ ଦିଲ୍ଲୀ ପୋଲିସ୍ ଏନେଇ ଅନୁମତି ଦେବ କି ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି । ପୂର୍ବରୁ ଏହି ରାଲିକୁ ନେଇ ପୋଲିସ୍ ଏବଂ କୃଷକ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ସଂଗଠନ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ରାଲି କରିବାକୁ ପ୍ରସ୍ତାବ ଦେଇଥିଲେ ।