Sunday, January 18, 2026
30.1 C
Odisha

    କ୍ୟାବିନେଟ୍‌ ନିଷ୍ପତ୍ତି: ୨୦୨୭ ଫେବ୍ରୁଆରିରୁ ଜନଗଣନା, ୨୦୨୬ ଏପ୍ରିଲରୁ ଗୃହ ତାଲିକା ପ୍ରସ୍ତୁତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଜନଗଣନା ୨୦୨୭ ପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ ମଞ୍ଜୁର କରାଯାଇଛି। ଏହା ହେଉଛି ଦେଶର ଷୋଡ଼ଶ ଓ ସ୍ବାଧୀନତା ପରବର୍ତ୍ତୀ ସମୟର ଅଷ୍ଟମ ଜନଗଣନା ଯାହାକୁ ପ୍ରଥମ ଥର ଡିଜିଟାଲ ମାଧ୍ୟମରେ କରାଯିବ। ଦୁଇଟି ପର୍ଯ୍ୟାୟରେ ଜନଗଣନା ହେବ। ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗୃହ ତାଲିକା ପ୍ରସ୍ତୁତି ଓ ଗୃହ ଗଣନା କାର୍ଯ୍ୟ ହେବ। ୨୦୨୭ ଫେବ୍ରୁଆରିରୁ ଜନସଂଖ୍ୟା ଗଣନା କରାଯିବ। ୨୦୨୭ ଜନଗଣନାରେ ଜାତିଗତ ଗଣନାକୁ ସାମିଲ କରିବା ଲାଗି ଚଳିତ ବର୍ଷ ଏପ୍ରିଲ୍‌ରେ ନିଷ୍ପତ୍ତି ହୋଇଥିଲା। ଏହି ପ୍ରକ୍ରିୟାର ଦ୍ବିତୀୟ ପର୍ଯ୍ୟାୟରେ ଇଲେକ୍ଟ୍ରୋନିକାଲି ଜାତିଗତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ଲଦାଖ, ଜମ୍ମୁ ଓ କାଶ୍ମୀର, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡର ତୁଷାରପାତ ପ୍ରବଣ ଅଞ୍ଚଳରେ ଜନଗଣନା ୨୦୨୬ ସେପ୍ଟେମ୍ବରରେ କରାଯିବ। ଗୃହ ଗଣନା ପର୍ଯ୍ୟାୟରେ ଘରର ସ୍ଥିତି ଓ ଅନ୍ୟାନ୍ୟ ସୁବିଧାସୁଯୋଗ ତଥ୍ୟ ସଂଗ୍ରହ କରାଯିବ। ମୂଳ ଜନଗଣନାରେ ଜନସଂଖ୍ୟା, ସାମାଜିକ-ଅର୍ଥନୈତିକ ଓ ଅର୍ଥନୈତିକ ମାନଦଣ୍ଡ ତଥ୍ୟ, ଲୋକଙ୍କ ବୟସ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ଧର୍ମ, ମାତୃଭାଷା, ଦିବ୍ୟାଙ୍ଗ, ସାମାଜିକ ସ୍ଥିତି, ଜାତି, ‌ବୃତ୍ତି, ପ୍ରବାସ ଓ ପ୍ରଜନନ କ୍ଷମତା ଆଦି ତଥ୍ୟ ସଂଗ୍ରହ କରାଯିବ। ଦେଶରେ ଶେଷ ଜନଗଣନା ୨୦୧୧ରେ କରାଯାଇଥିଲା। ୨୦୨୧ରେ ହେବାକୁ ଥିବା ଜନଗଣନାକୁ କୋଭିଡ୍ ମହାମାରୀ ପାଇଁ  କରାଯାଇପାରି ନଥିଲା। କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହା ହେଉଛି ଦୁନିଆର ସର୍ବବୃହତ୍‌ ପ୍ରାଶାସନିକ ଓ ପରିସଂଖ୍ୟାନ କାର୍ଯ୍ୟ। ୩୦ ଲକ୍ଷ କର୍ମଚାରୀ ଏହି କାର୍ଯ୍ୟରେ ଯୋଡ଼ିହେବେ। ମୁଖ୍ୟତଃ ସରକାରୀ ଶିକ୍ଷକମାନେ ଜନଗଣନା କରିବେ। ସେମାନଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିବେ। ନିଜର ନିୟମିତ କାର୍ଯ୍ୟ ସହ ସେମାନେ ଜନଗଣନା କରିବେ। ଏହା ବ୍ୟତୀତ ପର୍ଯ୍ୟବେକ୍ଷକ, ମାଷ୍ଟର ଟ୍ରେନର୍‌, ଚାର୍ଜ ଅଫିସର ଓ ପ୍ରମୁଖ ଜନଗଣନା ଅଧିକାରୀ ଓ ଜିଲ୍ଲା ଜନଗଣନା ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ତଥ୍ୟ ସଂଗ୍ରହ ପାଇଁ ମୋବାଇଲ ଆପ ଓ ତଦାରଖ ଲାଗି କେନ୍ଦ୍ରୀୟ ପୋର୍ଟାଲ ରହିବ। ମୋବାଇଲ୍‌ ଆପ୍‌ରେ ତଥ୍ୟ ସଂଗ୍ରହ କରାଯିବ। ବାସ୍ତବ ସମୟ ଭିତ୍ତିରେ ଏହି ବିଶାଳ କାର୍ଯ୍ୟର ତଦାରଖ କରାଯିବ। ଜନଗଣନାକୁ ନେଇ ଦେଶବ୍ୟାପୀ ପ୍ରଚାର ଅଭିଯାନ ଆୟୋଜନ କରାଯିବ। ଜନଗଣନା ୨୦୨୭କୁ ସଫଳ କରିବା ପାଇଁ ସ୍ଥାନୀୟ ସ୍ତରରେ ୧୮,୬୦୦ ଲୋକଙ୍କୁ ୫୫୦ ଦିନ ପାଇଁ ନିୟୋଜିତ କରାଯିବ। ଅର୍ଥାତ ଏହି କାର୍ଯ୍ୟ ଦ୍ବାରା ୧.୦୨ କୋଟି ମାନବ ଦିବସ ସୃଷ୍ଟି ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ