ଗୋଟିଏ ଦିନରେ ଦୁଇ ଯୁବତୀଙ୍କୁ ବିବାହ କଲେ ଯୁବକ

ଗୋଟିଏ ଦିନରେ ଦୁଇ ଯୁବତୀଙ୍କୁ ବିବାହ କଲେ ଯୁବକ
ଗୋଟିଏ ଦିନରେ ଦୁଇ ଯୁବତୀଙ୍କୁ ବିବାହ କଲେ ଯୁବକ

ଛତିଶଗଡର ବସ୍ତର ଜିଲ୍ଲାରେ ଜଣେ ବ୍ୟକ୍ତି ଗୋଟିଏଦିନରେ ଦୁଇଜଣ ମହିଳାଙ୍କୁ ବିବାହ କରଛନ୍ତି। ଜାନୁଆରୀ ୫ରେ ଗୋଟିଏ ବେଦୀରେ ସମ୍ପନ୍ନ ହୋଇଥିବା ଏହି ବିବାହରେ ପ୍ରାୟ ୫୦୦ ଅତିଥି ଯୋଗଦେଇଥିବା ଜଣାପଡିଛି। ଆଜକୁ ପ୍ରାୟ ତିନିବର୍ଷ ପୂର୍ବେ ପେସାରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ଚନ୍ଦୁ ମୌର୍ଯ୍ୟ ନାମକ ଏହି ବ୍ୟକ୍ତି ୨୧ ବର୍ଷୀୟା ସୁନ୍ଦରୀ କଶ୍ୟପ ନାମ୍ନୀ ଯୁବତୀଙ୍କ ପ୍ରେମଜାଲରେ ଫସିଥିଲେ। ବିବାହ କରିବେ ବୋଲି ସେମାନେ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ। ଗୋଟିଏ ବର୍ଷ ପରେ ୨୦ ବର୍ଷୀୟା ହସିନା ବାଘେଲ ନାମକ ଯୁବତୀ ଚନ୍ଦୁଙ୍କ ଗ୍ରାମକୁ ବୁଲିଆସିଥିବାବେଳେ ଚନ୍ଦୁଙ୍କ ସହ ପ୍ରେମସମ୍ପର୍କ ଯୋଡିଥିଲେ। କାଳକ୍ରମେ ଚନ୍ଦୁ ସେମାନଙ୍କୁ ଏକାସାଙ୍ଗରେ ଭଲ ପାଉଛନ୍ତି ବୋଲି ଏହି ଦୁଇ ଯୁବତୀ ଜାଣିବାକୁ ପାଇଥିଲେ।

ତେବେ ସେମାନଙ୍କ ମନରେ କାହାରି ପ୍ରତି ହିଂସା କିମ୍ବା ଅସୂୟାଭାବ ଜାତ ହୋଇନଥିଲା। ଏପରିକି ଚନ୍ଦୁଙ୍କୁ ବିବାହ କରି ସଉତୁଣୀଭାବେ ସଂସାର ଗଢିବାକୁ ଯୁବତୀଦ୍ୱୟ ଏକମତ ହୋଇଥିଲେ। ଶେଷରେ ଗ୍ରାମବାସୀଙ୍କ ଅନୁମତି ମିଳିବାପରେ ଏହି ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି। ହସିନାଙ୍କ ପରିବାର ବିବାହ ଉତ୍ସବରେ ଯୋଗଦେଇଥିବାବେଳେ ସୁନ୍ଦରୀଙ୍କ ପରିବାର ଏହାକୁ ବିରୋଧ କରି ଉତ୍ସବକୁ ବର୍ଜନ କରିଥିଲେ। ଚନ୍ଦୁଙ୍କୁ ବିବାହ କରି ସେମାନେ ଯଥେଷ୍ଟ ଖୁସି ଅଛନ୍ତି ବୋଲି ଉଭୟ ସୁନ୍ଦରୀ ଓ ହସିନା ସ୍ୱୀକାର କରିଛନ୍ତି।