ଗୋଲାପ-ଚକୋଲେଟ୍ ଓ ଟେଡି ନେଲା ପ୍ରେମିକା, କିନ୍ତୁ ପ୍ରୋମିଜ୍ କରିବାକୁ ମନା କଲା ଆଉ ତା' ପରେ...

ଗୋଲାପ-ଚକୋଲେଟ୍ ଓ ଟେଡି ନେଲା ପ୍ରେମିକା, କିନ୍ତୁ ପ୍ରୋମିଜ୍ କରିବାକୁ ମନା କଲା ଆଉ ତା' ପରେ...
ଗୋଲାପ-ଚକୋଲେଟ୍ ଓ ଟେଡି ନେଲା ପ୍ରେମିକା, କିନ୍ତୁ ପ୍ରୋମିଜ୍ କରିବାକୁ ମନା କଲା ଆଉ ତା' ପରେ...

ଚାଲିଛି ପ୍ରେମ ସପ୍ତାହ । ଏହି ସମୟରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ   ବିରଳ ଘଟଣା ।  ଜଣେ ପ୍ରେମିକଙ୍କଠୁ ପ୍ରେମିକା ଜଣକ ଗୋଲାପ ନେଇ ପ୍ରପୋଜ୍‌କୁ ଗ୍ରହଣ କରି ଚକୋଲେଟ୍‌ ଏବଂ ଟେଡି ନେବା ପରେ ପ୍ରୋମିଜ୍‌ କରିବାକୁ ମନା କରିଦେଇଛନ୍ତି । ଫଳରେ ପ୍ରେମିକ ଜଣକ ମାନସିକ ଭାରସାମ୍ୟ ହରାଇ ହାତ କାଟି ପକାଇଛନ୍ତି । ଏଭଳି ଏକ ଘଟଣା ପୁରୀ ମା’ ଦକ୍ଷୀଣ କାଳୀଙ୍କ ମନ୍ଦିରରେ ଘଟିଛି । ପ୍ରେମିକା ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ହାତ କାଟି ହଟହଟା ହୋଇଛି ବିଚରା ପ୍ରେମିକ । ପ୍ରେମିକ ଜଣକ ବାଲିସାହି ଶ୍ୟାମାକାଳୀ ଲେନ୍‌ର ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଯୁବକ କିଛି ଦିନ ଧରି ଯୁବତୀଙ୍କ ସହ ପରିଚୟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହେଲା ।  ଧିିରେଧୀରେ ସମ୍ପର୍କ ଏକ ମୋଡ ନେଲା । ହେଲେ ଏ ସମ୍ପର୍କରେ କେହି କାହାକୁ କହି ପାରୁନଥିଲେ । ଯୁବତୀଙ୍କୁ ମନେ ମନେ ଭଲ ପାଇ ବସିଥିଲା ଯୁବକ । ହେଲେ ଯୁବତୀଙ୍କ ନିରବତା ଯୋଗୁ ମନ କଥା ଖୋଲି କହିପାରୁୁୁନଥିଲେ।  ଏହାରି ଭିତରେ ପହଞ୍ଚି ଯାଇଥିଲା ପ୍ରେମ ସପ୍ତାହ । ସୁବର୍ଣ୍ଣ ସୁଯୋଗକୁ ହାତଛଡା ନକରି ଆରମ୍ଭ କରିଦେଇଥିଲା ସାପ୍ତାହିକ ପାଳନ ।

୭ ତାରିଖରେ ଯୁବତୀଙ୍କୁ ଗୋଲପ, ପରଦିନ ପ୍ରପୋଜ୍‌, ଏହାପରେ ଚକୋଲେଟ୍‌ ଡେ’, ଶେଷରେ ଟେଡି ଡେରେ ବଡ ବଡ କଣ୍ଢେଇ ଉପହାର ଗ୍ରହଣ କରିଥିଲେ ମାତ୍ର ପ୍ରୋମିଜ୍‌ ଡେରେ ସବୁ ଗଡ଼ବଡ଼ ହୋଇଯାଇଥିଲା । ଯୁବତୀଙ୍କୁ ଧରି ଯୁବକ ସିଧା ବାଲିସାହି ସ୍ଥିତ ମା’ ଦକ୍ଷୀଣ କାଳୀଙ୍କ ମନ୍ଦିରରେ ପହଞ୍ଚିଥିଲା । କିଛି ସମୟ ଉଭୟ ବାର୍ତ୍ତାଳାପ କରିବା ପରେ ଯୁବକ ଜଣକ ମା’ଙ୍କ କିଛି ଲାଗି ଫୁଲ ନେଇ ଯୁବତୀଙ୍କ ହାତରେ ଧରାଇ ଦେଇଥିଲା । ଚମକି ପଡିଥିଲେ ଯୁବତୀ । କାରଣ ଯୁବକରର ହାତରେ ଥିଲା ଏକାଧିକ କଟା ଦାଗ । ଉକ୍ତ କଟା ଦାଗ କାହା ପାଇଁ ବୋଲି ଯୁବତୀଙ୍କ ମନରେ ପ୍ରଶ୍ନ ଉଙ୍କି କାରିବାରୁ ସେ ଅଟକି ଯାଇଥିଲେ । ଯୁବକଙ୍କ ଚରିତ୍ର ନେଇ ସନ୍ଦେହ ଆସିଥିବାବେଳେ ମା’ଙ୍କ ଫୁଲ ଧରି ମିଥ୍ୟା ପ୍ରୋମିଜ୍‌ କରିବାକୁ ମନା କରିଥିଲେ ।

ଏହାପରେ ମଉଳି ଯାଇଥିଲା ଯୁବକଙ୍କ ମନ । ତେଣୁ ଯୁବତୀଙ୍କ ସମ୍ମୁଖରେ ହାତ କାଟିଦେଇଥିଲେ । ପ୍ରବଳ ରକ୍ତସ୍ରାବ ହେଉଥିବାବେଳେ ଭୟରେ ଦୌଡିଥିଲେ ଯୁବତୀ । ପରେ ହାତରେ ରୁମାଲ୍‌ ବାନ୍ଧି ଯୁବକ ମଧ୍ୟ ମନ୍ଦିର ଛାଡି ପଳାଉଥିଲେ । ରକ୍ତ ଦେଖି ସାହିର କିଛି ଲୋକେ ତାକୁ ଗୋଡେଇ ଧରିଥିଲେ । ରକ୍ତ ପୋଛିବା ପରେ ସେ ହାତ କାଟିଥିବା ଲୋକେ ଜାଣିବାକୁ ପାଇଥିଲେ । ପରେ ଲୋକେ ତାକୁ ଡାକ୍ତରଖାନା ନେବାକୁ ବାହାରିଥିଲେ । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ କହି ଜାଗା ଛାଡି ଚାଲି ଯାଇଥିଲା ଯୁବକ । ଘଟଣାଟି ପ୍ରଚାରିତ ହୋଇ ଶନିବାର ସହରରେ ଚର୍ଚ୍ଚାକୁ ଆସିଥିଲା । ପରେ ଟାଉନ୍‌ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଏହାର ଛାନ୍‌ଭିନ୍‌ କରି ଯୁବକ ହାତକାଟିଥିବା ଘଟଣା ସତ୍ୟ ବୋଲି ଜାଣିବାକୁ ପାଇଥିଲେ । ସେପଟେ ଏହି ଘଟଣା ପରେ ଯୁବତୀଙ୍କ ଅବସ୍ଥା ମଧ୍ୟ କୌଣସି ଏକ କାରଣରୁ ସଙ୍ଗିନ ଥିବା ନେଇ ଆଲୋଚନା ହେଉଥିବାରୁ ଏହାର ଅନୁସନ୍ଧାନ କରାଯାଉଥିବା ଆଇଆଇସି କହିଛନ୍ତି ।