ଚୀନ ଯିବାକୁ ଭାରତୀୟ ଛାତ୍ରଙ୍କୁ ମିଳୁନି ଅନୁମତି

ଚୀନ ଯିବାକୁ ଭାରତୀୟ ଛାତ୍ରଙ୍କୁ ମିଳୁନି ଅନୁମତି
ଚୀନ ଯିବାକୁ ଭାରତୀୟ ଛାତ୍ରଙ୍କୁ ମିଳୁନି ଅନୁମତି

ନୂଆଦିଲ୍ଲୀ, କୋଭିଡ୍ ପରିସ୍ଥିତି ଯୋଗୁଁ ଭାରତୀୟ ଛାତ୍ରଙ୍କ ଚୀନ ଗସ୍ତ ଉପରେ ଥିବା କଟକଣାକୁ ଜିନପିଙ୍ଗ୍ ସରକାର ବଳବତ୍ତର ରଖିଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଅନଲାଇନରେ ପାଠପଢା ଜାରି ରଖିବାକୁ ଏହି ଭାରତୀୟ ଛାତ୍ରଙ୍କୁ ଚୀନ ସରକାର ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଚୀନର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭାରତର ପ୍ରାୟ ୨୩,୦୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଡାକ୍ତରୀ ଛାତ୍ର। ୨୦୨୦ ପ୍ରାରମ୍ଭରେ ଚୀନରେ କୋଭିଡ୍ ମହାମାରୀ ଆରମ୍ଭ ହେବାପରେ ଏହି ଛାତ୍ରମାନେ ପ୍ରାଣ ବିକଳରେ ଚୀନ ଛାଡି ସ୍ୱଦେଶ ପଳାଇ ଆସିଥିଲେ। ବର୍ତ୍ତମାନ ସ୍ଥିତି କ୍ରମଶଃ ସ୍ୱାଭାବିକ ଆଡକୁ ଗତି କରୁଥିବାବେଳେ ଏହି ଛାତ୍ରମାନେ ପୁଣି ଚୀନ ଫେରିଯାଇ ନିଜର ଶିକ୍ଷାନୁଷ୍ଠାନରେ ଯୋଗଦେବାକୁ ଇଚ୍ଛାପ୍ରକାଶ କରିଛନ୍ତି।

ଏପରିକି ଏହି ଛାତ୍ରଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଚୀନ ପଠାଇବାକୁ ଭାରତର ବିଦେଶ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ଚୀନ ଅନୁମତି ଦେଉନଥିବା ଜଣାପଡିଛି। ଅପରପକ୍ଷରେ ଏପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ଖୋଲିନଥିବାରୁ ଭାରତୀୟ ଛାତ୍ରମାନେ ଅନ୍ଲାଇନରେ ପାଠପଢା ଜାରି ରଖିବାକୁ ଚୀନ ସରକାର ପରାମର୍ଶ ଦେଇଛନ୍ତି। ଚୀନ୍ର ଉହାନ୍ ପ୍ରଦେଶରୁ କୋଭିଡ୍ ଭୂତାଣୁ ସୃଷ୍ଟି ହୋଇଥିବାବେଳେ ବର୍ତ୍ତମାନ ଚୀନ ସରକାର ବିଦେଶୀ ବିମାନର ଉଡାଣ ପାଇଁ ଅନୁମତି ଦେଉନାହାନ୍ତି। ଏପରିକି ୨୦୨୦ ନଭେମ୍ବର ୨ ପରଠାରୁ ଚୀନ ପକ୍ଷରୁ କୌଣସି ଭାରତୀୟଙ୍କୁ ଭିସା ପ୍ରଦାନ କରାଯାଉନାହିଁ। ସୂଚନାଯୋଗ୍ୟ ୨୦୨୦ ଜାନୁଆରୀ ୩୦ରେ ଉହାନ୍ରୁ ଆସିଥିବା କେରଳର ଜଣେ ଛାତ୍ର ଭାରତର ପ୍ରଥମ କୋଭିଡ୍ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ।