ଜିଏନ୍ଏମ୍ ନର୍ସିଂ ସ୍କୁଲରେ ରାଗିଙ୍ଗ୍: ନିର୍ଦ୍ଦେଶକ ଗିରଫ, ୨ ଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ଜିଏନ୍ଏମ୍ ନର୍ସିଂ ସ୍କୁଲରେ ରାଗିଙ୍ଗ୍: ନିର୍ଦ୍ଦେଶକ ଗିରଫ, ୨ ଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ
ଜିଏନ୍ଏମ୍ ନର୍ସିଂ ସ୍କୁଲରେ ରାଗିଙ୍ଗ୍: ନିର୍ଦ୍ଦେଶକ ଗିରଫ, ୨ ଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ଝାରସୁଗୁଡା: ଝାରସୁଗୁଡ଼ା ବେହେରାମାଲ ଅଞ୍ଚଳରେ ଥିବା ଜିଏନ୍ଏମ୍ ନର୍ସିଂ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଅଟକ ରଖି ନିର୍ଯାତନା ଦେବା ଅଭିଯୋଗରେ ଅନୁଷ୍ଠାନର ନିର୍ଦ୍ଦେଶକ ସୁଧୀର ରଞ୍ଜନ ନନ୍ଦଙ୍କୁ ଝାରସୁଗୁଡ଼ା ଟାଉନ ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେହିପରି ସ୍କୁଲର ଅନ୍ୟ ଦୁଇ ଛାତ୍ରୀଙ୍କ ନାମରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଥିବାରୁ ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଝାରସୁଗୁଡ଼ା ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଏନ୍ଏସି କଲୋନୀର ଜଣେ ଯୁବତୀ ଝାରସୁଗୁଡ଼ା ଜିଏନ୍ଏମ୍ ନର୍ସିଂ ସ୍କୁଲରେ ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ସେ କିଛି ଦିନ ହେଲା ସ୍କୁଲରେ ସହପାଠିନୀ ତଥା ତୃତୀୟ ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କ ଦ୍ୱାରା ରାଗିଙ୍ଗର ଶିକାର ହୋଇଆସୁଥିଲେ। ଏନେଇ ସେ ଓ ତାଙ୍କର ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ବି କୌଣସି ସୁଫଳ ମିଳିନଥିଲା। ଫଳରେ ସ୍କୁଲରେ ଛାତ୍ରୀଙ୍କ ମା’ ସରୋଜିନୀ ବେହେରା ଝିଅ ସହ ସାକ୍ଷାତ କରିବା ପାଇଁ ସ୍କୁଲକୁ ଆସିଥିଲେ। ହେଲେ ପ୍ରାକ୍ଟିକାଲ ପରୀକ୍ଷା ଚାଲିଛି କହି ସ୍କୁଲର ନିର୍ଦ୍ଦେଶକ ସୁଧୀର ରଞ୍ଜନ ନନ୍ଦ ଛାତ୍ରୀଙ୍କ ସହ ସାକ୍ଷାତ କରାଇ ଦେଉନଥିଲେ।

ଝିଅ ସହ ଦେଖା କରିନପାରି ସରୋଜିନୀ ସ୍କୁଲରୁ ବାହାରିବା ସମୟରେ ଝିଅ ତାଙ୍କୁ ଦେଖି ତାଙ୍କ ନିକଟକୁ ଦୌଡ଼ି ଆସି ତାଙ୍କୁ କୁଣ୍ଡାଇ ପକାଇ କାନ୍ଦିବାକୁ ଲାଗିଥିଲେ। ତାଙ୍କ ଉପରେ କରାଯାଇଥିବା ରାଗିଙ୍ଗ ବିଷୟରେ ଅବଗତ କରାଇଥିଲେ। ତାଙ୍କୁ ଅନ୍ୟ ଦୁଇ ଜଣ ସିନିୟର ଛାତ୍ରୀ କବାଟ ବନ୍ଦ କରି ପ୍ରାୟ ୩ ଘଣ୍ଟା ଏକ କୋଠରି ଭିତରେ ରଖିଥିବା ସେ ମା’କୁ କହିଥିଲେ। ତେବେ ପ୍ରାକ୍ଟିକାଲ ପରୀକ୍ଷା ହେଉଛି ବୋଲି ମିଛ କହି କାହିଁକି ଝିଅ ସହ ସାକ୍ଷାତ କରିବାର ସୁଯୋଗ ଦିଆଗଲା ନାହିଁ ବୋଲି ସରୋଜିନୀ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ।

ଫଳରେ ଝାରସୁଗୁଡ଼ା ଟାଉନ ଥାନାରେ ଏନେଇ ସରୋଜିନୀ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ସଂଖ୍ୟା-୫୫/ତା.୧.୨.୨୦୨୧; ଆଇପିସିର ଧାରା ୩୪୨, ୨୯୪, ୫୦୬, ୩୨ ଭିଏସ ଆକ୍ଟ, ୩୪ରେ ପୁଲିସ ଏକ ମାମଲା ରୁଜୁ କରି ଡିଏସପି ରୋହିତ ଥାଏଟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନର ନିର୍ଦ୍ଦେଶକ ସୁଧୀର ରଞ୍ଜନ ନନ୍ଦଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରିବା ପରେ ଆଜି ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।