ଜାତିସଂଘରେ ଭାରତର ବାଟ ଓଗାଳିଲା ଚୀନ

ଜାତିସଂଘରେ ଭାରତର ବାଟ ଓଗାଳିଲା ଚୀନ
ଜାତିସଂଘରେ ଭାରତର ବାଟ ଓଗାଳିଲା ଚୀନ

 ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର କଟକଣା କମିଟିରେ ଭାରତକୁ ନେତୃତ୍ବ ନେବାରୁ ଚୀନ ରୋକିଛି। ୟୁଏନଏସ୍‌ସିର ୧୨୬୭ କଟକଣା କମିଟି ଆନ୍ତର୍ଜାତିକ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଥାଏ। କେଉଁ ଆତଙ୍କବାଦୀଙ୍କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରାଯିବ ତାହା ଉପରେ ସୁରକ୍ଷା ପରିଷଦ ୧୨୬୭ କମିଟି ନିଷ୍ପତ୍ତି ନେଇଥାଏ। ଏହି କମିଟି ପାକିସ୍ତାନର ମାସୁଦ୍ ଆଝାର, ହାଫିଜ୍ ସଇଦ, ଜାକି-ଉର-ରେହମାନ ଲାଖଭି ଓ ଅନ୍ୟମାନଙ୍କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ପୂର୍ବକ ପ୍ରତିବନ୍ଧକ ଲାଗୁ କରିଛି। ଭାରତ ଏହି କମିଟିର ନେତୃତ୍ବ ନେବାକୁ ଗତ ସପ୍ତାହରେ ଘୋଷଣା କରାଯାଇଥିଲା। ତେବେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ଚୀନ ଏହି କମିଟିର ନେତୃତ୍ବ ନେବାରୁ ଭାରତକୁ ରୋକିଛି। ଯାହା ଭାରତ ବିରୋଧରେ ଚୀନର ବଡ କୂଟନୈତିକ ଆକ୍ରମଣ ବୋଲି ବିବେଚନା କରାଯାଇଛି। ଲଦାଖ ସୀମାରେ ଭାରତ ବିରୋଧରେ ସାମରିକ ଯୁଦ୍ଧ ଚଳାଇଥିବା ଚୀନ ସଫଳ ହୋଇ ପାରି ନଥିବାବେଳେ କୂଟନୈତିକ ଯୁଦ୍ଧରେ ବିଜୟୀ ହୋଇଛି। କାରଣ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେତୁ ଚୀନ ପାଖରେ ଭିଟୋ କ୍ଷମତା ରହିଛି। ଯାହା ଭାରତ ପାଖରେ ନାହିଁ। ତେବେ ଚୀନ ପ୍ରଥମ କରି ଭାରତ ବିରୋଧରେ ଜାତିସଂଘରେ ଏପରି ପ୍ରତିବନ୍ଧକ ସାଜି ନାହିଁ। ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପ୍ରସଙ୍ଗଙ୍କୁ ଚୀନ ଆନ୍ତର୍ଜାତିକ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଥିଲା। ପାକିସ୍ତାନ ପ୍ରରୋଚନାରେ ଚୀନ ଏପରି ପଦକ୍ଷେପ ନେଇଥିଲା। ତେବେ ସୁରକ୍ଷା ପରିଷଦର ଅନ୍ୟ ରାଷ୍ଟ୍ରଙ୍କ ବିରୋଧ ଯୋଗୁଁ ଏହା ଫସରଫାଟିଥିଲା। ସୁରକ୍ଷା ପରିଷଦର ଅନ୍ୟ ରାଷ୍ଟ୍ରଗୁଡିକ ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଥିଲେ।