ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ କଡ଼ାକଡ଼ି
ଦୁର୍ଘଟଣାଜନିତ ମୃତ୍ୟୁହାର ଉଦ୍ବେଗଜନକସ୍ଥିତି ସୃଷ୍ଟି କରୁଥିବାରୁ କରୋନା କଟକଣା କୋହଳ ହେବା ମାତ୍ରେ ଆସନ୍ତା ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଶାସନ ସଚିବ ନିକଟରେ ପରିବହନ କମିସନର ଓ ପୁଲିସ୍ ଏସ୍ପିମାନଙ୍କୁ ଏନେଇ ନିର୍ଦେଶ ଦେଇଛନ୍ତି। ତେଣୁ ଜାନୁଆରୀରୁ ବାଇକ୍ର ପଛ ଯାତ୍ରୀଙ୍କ ପାଇଁ ମଧ୍ୟ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଡ଼କ ନିରାପତ୍ତା ନିୟମ ମଧ୍ୟରେ ଥିବା ସମସ୍ତ ଆଇନ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ଉଲ୍ଲଘଂନକାରୀଙ୍କର ଲାଇସେନ୍ସ ବାତିଲ୍ କରାଯିବ। ଏସବୁକୁ ନେଇ ଲର୍ଣ୍ଣିଂ ଲାଇସେନ୍ସ (ଏଲ୍ଏଲ୍) ଆବେଦନ କରି ନ ଥିବା ଏବଂ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଆବେଦନକାରୀଙ୍କ ମନରେ ଛନକା ପଶିଛି।
କୋଭିଡ୍ କଟକଣା ଯୋଗୁଁ ରାଜ୍ୟର ସବୁ ଆର୍ଟିଓ ବନ୍ଦ କରି ଦିଆଯାଇଥିଲା। ସ୍ଥିତିରେ ସୁଧାର ଆସିବା ପରେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ସେବା ଆରମ୍ଭ ହୋଇଛି। କୋଭିଡ୍ କଟକଣା ଯୋଗୁଁ ଡିଏଲ୍ ଏବଂ ଏଲ୍ଏଲ୍ ଟେଷ୍ଟ ବନ୍ଦ ରହିଥିଲା। ଆବେଦନକାରୀଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ି ଯିବାରୁ ଏଲ୍ଏଲ୍ ଏବଂ ଡିଏଲ୍ ଆବେଦନ ଉପରେ କଟକଣା ରହିଥିଲା। ଏବେ କଟକଣା ଉଠିଛି। ହେଲେ ସ୍ଲଟ୍ ବୁକିଂ ପାଇଁ ଧାର୍ଯ୍ୟ କରାଯାଇଥିବା ସମୟ ଓ ସଂଖ୍ୟା ଏବେ ଡିଏଲ୍ ଆବେଦନକାରୀଙ୍କ ପାଇଁ ଏକ ସମସ୍ୟା ହୋଇଛି। ସାରା ରାଜ୍ୟରେ ଡିଏଲ୍ ପରୀକ୍ଷା ପାଇଁ ଏବେ ମାତ୍ର ୩୦୦୦ ଆବେଦନକାରୀଙ୍କୁ ସୁଯୋଗ ମିଳୁଛି। ଅନେକ ଡିଏଲ୍ ଆବେଦନକାରୀ ପ୍ରତ୍ୟେକ ଦିନ ଉଦ୍ୟମ କରି ବିଫଳ ହେଉଛନ୍ତି।
Comments (0)