ଦେଶରେ କରୋନା ଟିକା ନେଲେଣି ସାଢ଼େ ୪ ଲକ୍ଷ ଲୋକ

ଦେଶରେ କରୋନା ଟିକା ନେଲେଣି ସାଢ଼େ ୪ ଲକ୍ଷ ଲୋକ

ନୂଆଦିଲ୍ଲୀ, ଆଜି ସୁଦ୍ଧା ଦେଶରେ ସାଢ଼େ ୪ ଲକ୍ଷରୁ ଊର୍ଦ୍ଧ୍ୱ ଜଣ କରୋନା ଟିକା ନେଇ ସାରିଲେଣି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଦେଶରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଆସିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ଆଜି ପ୍ରେସ ବିବୃତ୍ତିରେ କହିଛନ୍ତି କି, ଆଜି ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୫୪ ହଜାର ୪୯ ଜଣ କରୋନା ଟିକା ନେଇସାରିଲେଣି। ଏଥିସହିତ କରୋନାର ଦୀର୍ଘ ୮ ମାସ ପରେ ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ୧୪୦ ତଳକୁ ଖସିଛି।

ଏଥିସହିତ ସେ କହିଛନ୍ତି କି, ଦେଶର ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୭ ହଜାର ୬୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୧୧୦ ଜଣଙ୍କ ମୃତ୍ୟୁ ହୋଇଛି।
ଅନ୍ୟପଟେ ବ୍ରିଟେନର ନୂଆ ଷ୍ଟ୍ରେନ କରୋନା ଭୂତାଣୁରେ ଆଜି ସୁଦ୍ଧା ଭାରତରୁ ୧୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସେ କହିଛନ୍ତି।

ଆଜିର ରିପୋର୍ଟ ଅନୁସାରେ ଦେଶରେ ଆଜି ସୁଦ୍ଧା ୧ କୋଟି ୫ ଲକ୍ଷ ୮୧ ହଜାର ୮୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧ କୋଟି ୨ ଲକ୍ଷ ୨୮ ହଜାର ୭୫୩ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୧ ଲକ୍ଷ ୫୨ ହଜାର ୫୫୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି।