ଦେଶର ସବୁ ତୀର୍ଥ ଜଳ ବିନ୍ଦୁସାଗରରେ ଏକାଠି ହୋଇଛି: ମୁଖ୍ୟମନ୍ତ୍ରୀ

ଦେଶର ସବୁ ତୀର୍ଥ ଜଳ ବିନ୍ଦୁସାଗରରେ ଏକାଠି ହୋଇଛି: ମୁଖ୍ୟମନ୍ତ୍ରୀ
ଦେଶର ସବୁ ତୀର୍ଥ ଜଳ ବିନ୍ଦୁସାଗରରେ ଏକାଠି ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇ ରହିଛି। ଦେଶର ସବୁ ତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି। ବିନ୍ଦୁସାଗରର ପ୍ରତିଟି ଜଳବିନ୍ଦୁ ପବିତ୍ର। ଜାତୀୟ ସଂହତି ଓ ଏକତାର ପ୍ରତୀକ ବିନ୍ଦୁସାଗର। ବିନ୍ଦୁ ସାଗର ଏକ ତୀର୍ଥ ପୋଖରୀ ନୁହେଁ, ପୁରୁଣା ଭୁବନେଶ୍ୱରର ଲୋକମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହ ଏହାର ନିବିଡ଼ ସମ୍ପର୍କ ରହିଛି। ତେଣୁ ଏହାକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

୫ଟି କାର୍ଯ୍ୟକ୍ରମ ଅଧିନରେ ଏକାମ୍ର ଯୋଜନାରେ ‘ବିନ୍ଦୁ ସାଗର’ ପାଣିକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆୟେଜିତ ‘ସ୍ୱଚ୍ଛ ବିନ୍ଦୁ ସାଗର’ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର ଧାମ ଭୁବନେଶ୍ୱର କେବଳ ଏକ ମନ୍ଦିରମାଳିନୀ ନଗରୀ ନୁହେଁ, ଏଠାରେ ଅନେକ ତୀର୍ଥ ପୋଖରୀ ମଧ୍ୟ ରହିଛି। ସେଗୁଡ଼ିକର ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ୱ। ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ହେବାକୁ ଯାଉଛି। ତେଣୁ ଏ କ୍ଷେତ୍ରରେ ଏକାମ୍ର ଅଞ୍ଚଳରେ ରହିଥିବା ୨୦ରୁ ଅଧିକ ଛୋଟ, ବଡ଼ ତୀର୍ଥ ପୋଖରୀରୁ ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବା ଆବଶ୍ୟକ। ସ୍ୱଚ୍ଛ ଜଳ ହିଁ ସମୃଦ୍ଧ ଜୀବନ। ସମସ୍ତଙ୍କ ସହଯୋଗରେ ଆମର ରୂପାନ୍ତରର ଲକ୍ଷ୍ୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିବାବେଳେ ଏହି କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆ ଅଏଲ କର୍ପୋରେସନ୍, ଇଣ୍ଡିଆନ କେମିକାଲ୍ସ ଇନଷ୍ଟିଚ୍ୟୁଟର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଅନ୍ୟପକ୍ଷେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଏକାମ୍ର ଯୋଜନା କାମକୁ ଆଗେଇ ନେବା ପାଇଁ ଏଏସ୍ଆଇ ତଥା ଭାରତ ସରକାର ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ବିନ୍ଦୁ ସାଗରର ପବିତ୍ର ଜଳକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ‘ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ’ ଲୋକାର୍ପିତ ହୋଇଯିବା ସମସ୍ତ ଓଡିଶାବାସୀଙ୍କ ପାଇଁ ଐତିହାସିକ କ୍ଷଣ। ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଖୁବ ଶୀଘ୍ର ବିନ୍ଦୁ ସାଗରର ପବିତ୍ର ପୁଷ୍କରିଣୀ ପରିଷ୍କାର ହେବ। ବିନ୍ଦୁସାଗରର ଚାରିପଟେ ଚାରୋଟି ପମ୍ପିଂ ସିଷ୍ଟମ ଅବସ୍ଥାପିତ ହୋଇଥିବାବେଳେ ଏହା ପୋଖରୀର ଦୂଷିତ ଜଳକୁ ଛାଣି ସଫା ଜଳ ପୋଖରୀକୁ ଛାଡିବ। ଫଳରେ ଖୁବ୍ ଶୀଘ୍ର ଏକାମ୍ର ତଥା ଭୁବନେଶ୍ୱରବାସୀଙ୍କ ବିନ୍ଦୁ ସାଗରର ପବିତ୍ର ଜଳ ସ୍ୱଚ୍ଛ ଓ ନିର୍ମଳ ହେବାର ସ୍ୱପ୍ନ ପୂରଣ ହେବ ବୋଲି ସେ କହିଛନ୍ତି।