ଧରାପଡ଼ିଲା ଆନ୍ଧ୍ରର କୁଟନୀତି, ସରକାରୀ ଜମି ଛାଡ଼ି ବେସରକାରୀ ଜମି ହାତେଇବାକୁ କରୁଛି ଚକ୍ରାନ୍ତ
Hemanta
Feb 21, 2021
124
0
କୋଟିଆ ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ବେଳେ ଧିରେ ଧିରେ ଆନ୍ଧ୍ରର ମୁଖା ଖୋଲିବାରେ ଲାଗିଛି। ସାନଲୁକୁଟି ପରେ ଏବେ ରାୟଗଡା ଜିଲ୍ଲାର ସୀମାନ୍ତରେ ଥିବା ଦୁର୍ଗାପାଡୁ ଗ୍ରାମପଞ୍ଚାୟତ ପଲମତୁଲ୍ସି ଗାଁ ଉପରେ ପଡୋଶୀର ଲୋଲୁପ ଦୃଷ୍ଟି ପଡିଛି। ଆନ୍ଧ୍ର ସରକାର ସୀମାନ୍ତ ଗାଁରେ ନିଜ ସରକାରୀ ଯୋଜନାର ଲୋଭ ଦେଖାଇ ଲୋକଙ୍କୁ ଏକ ପ୍ରକାର ନିଜ ଆଡକୁ ଟାଣିବାର ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ତା’ ଛଡ଼ା ନିଜ ଅଞ୍ଚଳର ଉନ୍ନୟନ ପାଇଁ ପଡ଼ୋଶୀ ରାଜ୍ୟର ଲୋକଙ୍କୁ ଭୂଆଁ ବୁଲାଇ ବ୍ୟକ୍ତିଗତ ଜମିକୁ ହାତେଇବା ପାଇଁ ଯୋଜନା କରୁଥିବା ଦେଖିବାକୁ ମିଳିଛି।
ସ୍ୱାଧୀନତାର ୭୦ ଦଶକ ବିତିଯାଇଥିଲେ ସୁଦ୍ଧା ସୀମାନ୍ତରେ ଥିବା ଆନ୍ଧ୍ର ସରକାରଙ୍କ ୩ ଗୋଟି ଗାଁ ଯଥା-ଗୁଲେଙ୍କା, କିତଲାମ୍ବା ଓ ୱାର୍ଡଜଙ୍ଗକୁ ଯାତାୟତ ପାଇଁ ରାସ୍ତା ଖଣ୍ଡେ ନିର୍ମାଣ କରିପାରି ନଥିଲା ଆନ୍ଧ୍ର। ଓଡ଼ିଶାର ଭୌଗଳିକ ସୀମାରେ ଚାରିପଟୁ ଆବଦ୍ଧ ହୋଇଥିବାରୁ ଗାଁକୁ ରାସ୍ତାଟିଏ ପାଇଁ ନା ଆନ୍ଧ୍ର ସରକାରଙ୍କ ନା ଓଡ଼ିଶା ସରକାରଙ୍କ କୌଣସି ସରକାରୀ ଜାଗା ନାହିଁ। ଫଳରେ ଏହି ଅଞ୍ଚଳର ଲୋକେ ବର୍ଷ ବର୍ଷ ଧରି ସରକାରଙ୍କ ପ୍ରଦତ୍ତ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିଲେ। ଗାଁକୁ ଗମନାଗମନ ସୁବିଧା ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଜରୁରୀ ସେବା ଅପହଞ୍ଚ ହୋଇପଡ଼ିଥିଲା।
ପଡ଼ୋଶୀ ଗାଁ ଲୋକଙ୍କ ଦୟନୀୟ ସ୍ଥିତି ଦେଖି ଆନ୍ଧ୍ରର ଗାଇପକା ପଞ୍ଚାୟତ ସରପଞ୍ଚ ଭିମା ରାଓଙ୍କ ଅନୁରୋଧ ରକ୍ଷା କରି ରାୟଗଡ଼ା ସଦର ବ୍ଲକ୍ ଅଧୀନ ଦୁର୍ଗାପାଡୁ ଗ୍ରାମପଞ୍ଚାୟତ ପଲମତୁଲସି ଗ୍ରାମର ଲୋକେ ଆନ୍ଧ୍ର ସୀମାନ୍ତ ଉପରୋକ୍ତ ତିନୋଟି ଗ୍ରାମ ଲୋକଙ୍କୁ ବନ୍ଧୁତ୍ୱ ହାତ ବଢାଇଥିଲେ। ପଲମତୁଲ୍ସି ଗାଁର ମିନା ପୁଆଲା, ଜାଇତା ପୁଆଲା, ଦିଅଁ ପୁଆଲା, ନିରୁନ ପୁଆଲା ଓ ମୋହନ ପୁଆଲା ସମସ୍ତେ ନିଜ ମାଲିକାନାରେ ଥିବା ଜାଗା ଖଣ୍ଡେ ଲେଖାଏଁ ରାସ୍ତା ନିର୍ମାଣ ପାଇଁ ପ୍ରଦାନ କରିଥିଲେ। ଫଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଆନ୍ଧ୍ରର କୁରୁପମ ଠାରୁ ବିରିପାଡୁକୁ ନିର୍ମାଣ ହୋଉଥିବା ରାସ୍ତାକୁ ଗୁଲେଙ୍କା, କିତଲାମ୍ବା ଓ ୱାର୍ଡଜଙ୍ଗ ଏହି ତିନୋଟି ଗାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇ ରାଚ୍ଚାପାଡୁ ଛକରୁ ଏହି ତିନୋଟି ଗାଁକୁ ରାସ୍ତା ନିର୍ମାଣ କାମ ଆରମ୍ଭ କରିଛି ଆନ୍ଧ୍ର ସରକାର।
ସବୁଠାରୁ ବଡ଼ କଥା ଆନ୍ଧ୍ର ଏବେ ଓଡ଼ିଶା ସୀମାନ୍ତରେ ସରକାରୀ ଜମି ଛାଡ଼ି ବେସରକାରୀ ଲୋକଙ୍କ ଜମିକୁ ହାତେଇବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ ଏହି ଜମି ଗୁଡ଼ିକ ଚାଷ କିଶମ ହୋଇଥିବା ବେଳେ ଏହାକୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ହାତକରି ଜଙ୍ଗଲ କିଶମ ଦର୍ଶାଇ ଆନ୍ଧ୍ର ନିଜର ବୋଲି କହି ଏବେ ରାସ୍ତା କାମ ଆରମ୍ଭ କରିଛି। ତେବେ କୋଟିଆ ଘଟଣା ଜାଣିବା ପରେ ପଲମତୁଲସି ଗ୍ରାମବାସୀ ପଡ଼ୋଶୀର ଏହି ଚକ୍ରାନ୍ତକୁ ତୀବ୍ର ବିରୋଧ କରିଛନ୍ତି।
Comments (0)