ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା !

ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା !
ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା !

ନୂଆଦିଲ୍ଲୀ:  ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଏକ ହିନ୍ଦୁ ପରିବାରର ୫ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କାରଣ ସେମାନଙ୍କ ବେକରେ କଟାଦାଗ ରହିଛି । ମୁଲତାନର ରହିମ ୟାର ଖାନ୍ ସହରରୁ ପ୍ରାୟ ୧୫ କିମି ଦୂରରେ ଏହି ଘଟଣା ଘଟିଛି ।

ନ୍ୟୁଜ ଇଣ୍ଟରନ୍ୟାଶନାଲର ରିପୋର୍ଟ ଅନୁସାରେ, ପରିବାରର ୫ ସଦସ୍ୟଙ୍କ ମୃତଦେହ ସନ୍ଦିଗ୍ଧ ପରିସ୍ଥିତିରେ ମିଳିଥିଲା । ପୋଲିସ ଘଟଣାସ୍ଥଳରୁ ଏକ ଛୁରା ଓ କୁରାଢି ଜବତ କରିଛି ।

ରହିମ ୟାର ଖାନର ସାମାଜିକ କର୍ମୀ ବୀରବଲ ଦାସ କହିଛନ୍ତି ଯେ, ରାମ ଚନ୍ଦ ମେଘଓ୍ୱାଲ ହିନ୍ଦୁ ଥିଲେ । ସେ ପ୍ରାୟ ୩୫-୩୬ ବର୍ଷର ଥିଲେ । ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଛି। ବୀରବଲ ଦାସଙ୍କ କହିବାନୁସାରେ, ରାମ ଚନ୍ଦ ଦୀର୍ଘଦିନ ଧରି ଟେଲରିଂ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ତାଙ୍କର କାହା ଶହ ଶତ୍ରୁତା ନଥିଲା । ସେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଥିଲେ । ସର୍ବଦା ହସଖୁସିରେ ରହୁଥିଲେ । ତେବେ ଏହି ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ସୂଚନାଯୋଗ୍ୟ, ଗତ କିଛି ବର୍ଷ ଧରି ପାକିସ୍ତାନରେ ରହୁଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । କେତେବେଳେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି ତ ପୁଣି କେତେବେଳେ ହିନ୍ଦୁ ଯୁବତୀଙ୍କୁ ଅପହରଣ ଓ ଧର୍ମ ପରିବର୍ତ୍ତନ କରାଯାଉଛି । କିଛିଦିନ ତଳେ ଏକ ହିନ୍ଦୁ ମନ୍ଦିରକୁ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।