ପଛୁଆବର୍ଗଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରସଙ୍ଗ : ସବୁ ରାଜ୍ୟର ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ

ପଛୁଆବର୍ଗଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରସଙ୍ଗ : ସବୁ ରାଜ୍ୟର ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ
ପଛୁଆବର୍ଗଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରସଙ୍ଗ : ସବୁ ରାଜ୍ୟର ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ପଛୁଆବର୍ଗଙ୍କ ପାଇଁ ସର୍ବାଧିକ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉଛି। ତେବେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କ ମତାମତ ଲୋଡିଛନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଯେଉଁ ସିଲିଂ ଲାଗୁ କରାଯାଇଛି, ତାହାର ପୁନର୍ବିଚାର କରାଯିବ କି ନାହିଁ, ସେଥିନେଇ ସୁପ୍ରିମକୋର୍ଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୋମବାର ଏହି ପ୍ରସଙ୍ଗରେ ଆଗତ ଏକ ମାଲାର ଶୁଣାଣି ସୁପ୍ରିମକୋର୍ଟର ପାଞ୍ଚଜଣିଆ ପୀଠରେ ଅନୁଷ୍ଠିତ ହୋଇଥିଲା। ମରାଠୀ ଭାଷାଭାଷୀ ଲୋକଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମହାରାଷ୍ଟ୍ର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ବିରୋଧ କରି ଏହି ପିଟିସନ ଦାଏର କରାଯାଇଛି।

ସମ୍ବିଧାନର ୧୦୨ତମ ସଂଶୋଧନ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତାଲିକାରେ ଯଦି କୌଣସି ସଂପ୍ରଦାୟକୁ ସାମିଲ କରାଯାଇଥାଏ, ତାହାହେଲେ ସଂପୃକ୍ତ ରାଜ୍ୟ ସରକାର ସେହି ସଂପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ। ତେବେ ଏହି ସଂଶୋଧିତ ଆଇନର ତର୍ଜମା ନିମନ୍ତେ ସବୁ ରାଜ୍ୟର ମତାମତ ଲୋଡାଯିବା ଜରୁରୀ ବୋଲି ମାମଲା ପରିଚାଳନା ଦାୟିତ୍ୱରେ ଥିବା ମୁକୁଲ ରୋହତଗୀ, ଅଭିଷେକ ମନୁ ସିଂଘଭୀଙ୍କ ଭଳି ବିଶିଷ୍ଟ ଆଇନଜୀବୀ ଯୁକ୍ତି ଦର୍ଶାଇଥିଲେ। ନିର୍ଦ୍ଦିଷ୍ଟ କୌଣସି ଏକ ସଂପ୍ରଦାୟକୁ ପଛୁଆବର୍ଗ ଘୋଷଣା କରିବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି କି ନାହିଁ, ତାହା ପ୍ରଥମେ ଅନୁଧ୍ୟାନ କରାଯିବା ଉଚିତ ବୋଲି ଏହି ଆଇନଜୀବୀମାନେ ମତବ୍ୟକ୍ତ କରିଛନ୍ତି। ମରାଠା ସଂପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଗଲେ ଏହାର ପ୍ରଭାବ ଅନ୍ୟ ରାଜ୍ୟଗୁଡିକ ଉପରେ ପଡିବ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ସୁପ୍ରିମକୋର୍ଟ ପୀଠଙ୍କୁ ଜଣାଇଥିଲେ। ସୂଚନାଯୋଗ୍ୟ ୧୯୯୨ରେ ଇନ୍ଦିରା ସାହାଣୀ ମାମଲାରେ ସୁପ୍ରିମକୋର୍ଟର ୯ ଜଣିଆ ପୀଠ ପଛୁଆବର୍ଗଙ୍କ ନିମନ୍ତେ ସର୍ବାଧିକ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାୟ ଦେଇଥିଲେ। ତେବେ ମହାରାଷ୍ଟ୍ର ଓ ତାମିଲନାଡୁ ଭଳି କେତେକ ରାଜ୍ୟ ଏହି ସଂରକ୍ଷଣ ସିଲିଂକୁ ଉଲ୍ଲଂଘନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫କୁ ଧାର୍ଯ୍ୟ କରାଯାଇଛି।