ପଛରେ ପଡ଼ିଲେ ପେଲେ, ମେସି ସର୍ବାଧିକ ସ୍କୋରର୍‌

ପଛରେ ପଡ଼ିଲେ ପେଲେ, ମେସି ସର୍ବାଧିକ ସ୍କୋରର୍‌
ପଛରେ ପଡ଼ିଲେ ପେଲେ, ମେସି ସର୍ବାଧିକ ସ୍କୋରର୍‌

ବିଶ୍ୱର ଅନ୍ୟତମ ମହାନ ଫୁଟ୍‌ବଲର୍ ଆର୍ଜେଣ୍ଟିନାର ଲିଓନେଲ ମେସି ଲିଜେଣ୍ଡ୍ ପେଲେଙ୍କ ରେକର୍ଡକୁ ଅତିକ୍ରମ କରିିଛନ୍ତି। ମେସି ବାର୍ସେଲୋନା ପକ୍ଷରୁ ବ୍ୟକ୍ତିଗତ ଭାବେ ୬୪୪ତମ ଗୋଲ୍ କରି ଗୋଟିଏ ନିର୍ଦ୍ଦିଷ୍ଟ କ୍ଲବ୍ ପକ୍ଷରୁ ସର୍ବାଧିକ ଗୋଲ୍ କରିଥିବା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ମେସି ବାର୍ସେଲୋନା ପକ୍ଷରୁ ୭୪୯ ମ୍ୟାଚ୍ ଖେଳି ୬୪୪ଟି ଗୋଲ୍ କରିଥିବା ବେଳେ ପେଲେ ବ୍ରାଜିଲୀୟ କ୍ଲବ୍ ସାଣ୍ଟୋସ୍ ପକ୍ଷରୁ ୬୫୬ ମ୍ୟାଚ୍ ଖେଳି ୬୪୩ଟି ଗୋଲ୍ କରିଥିଲେ। ମେସି ଏହି ରେକର୍ଡକୁ ଲା’ଲିଗା ଟୁର୍ଣ୍ଣାମେଣ୍ଟରେ ରିୟଲ୍ ଭେଲାଡୋଲିଡ୍ ବିପକ୍ଷ ମ୍ୟାଚ୍‌ରେ ଭଙ୍ଗ କରିଛନ୍ତି। ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ପେଡ୍ରିଙ୍କ ଏକ ପାସ୍‌କୁ ମେସି ଏକାକୀ ଗୋଲ୍‌ପୋଷ୍ଟ ନିକଟକୁ ନେଇ ସାମ୍ନାରେ ଥିବା ଗୋଲ୍‌କିପର୍ ଜୋର୍ଡି ମେସିପ୍‌ଙ୍କୁ ଚକ୍‌ମା ଦେବା ସହ ଗୋଲ୍‌ପୋଷ୍ଟକୁ ପଠାଇ ଏହି ରେକର୍ଡ ଗୋଲ୍ କରିଥିଲେ। ଏହି ମ୍ୟାଚ୍‌ରେ ବାର୍ସେଲୋନା ୩-୦ ଗୋଲ୍‌ରେ ବିଜୟୀ ହୋଇଥିଲା।

ପେଲେଙ୍କ ରେକର୍ଡ ଭଙ୍ଗ କରିବା ପରେ ମେସି ଏକ ଇନ୍‌ଷ୍ଟାଗ୍ରାମ୍ ମେସେଜ୍ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ, ମୁଁ ଯେତେବେଳେ ଫୁଟ୍‌ବଲ୍ ଆରମ୍ଭ କଲି କୌଣସି ରେକର୍ଡ ଭାଙ୍ଗିପାରିବି ବୋଲି ଭାବି ନଥିଲି। ବିଶେଷ କରି ବ୍ରାଜିଲ୍‌ର ଲିଜେଣ୍ଡ ପେଲେଙ୍କ ରେକର୍ଡ, ଯାହା ଦୀର୍ଘବର୍ଷ ଧରି ତାଙ୍କ ନାମରେ ଥିଲା। ଏହି ଅବସରରେ ତାଙ୍କୁ ଦୀର୍ଘବର୍ଷ ଧରି ସହାୟତା ଏବଂ ସମର୍ଥନ ଜଣାଇ ଆସୁଥିବା ସାଥୀ ଖେଳାଳି, ତାଙ୍କ ପରିବାର, ବନ୍ଧୁ ସମସ୍ତଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

୧୯୫୬ରୁ ୧୯୭୪ ପର୍ଯ୍ୟନ୍ତ ୧୯ ସିଜନ୍‌ରେ ପେଲେ ସାଣ୍ଟୋସ ପକ୍ଷରୁ ୬୪୩ ଗୋଲ୍ କରିଥିବା ବେଳେ ୨୦୦୪ରେ ବାର୍ସେଲୋନା ସହ ଚୁକ୍ତି କରିଥିବା ମେସି ୧୬ ସିଜନ୍‌ରେ ଏହି ରେକର୍ଡ ଭଙ୍ଗ କରିଛନ୍ତି। ଚଳିତବର୍ଷ ଜୁନ୍‌ରେ ମେସି ୭୦୦ରୁ ଅଧିକ ଗୋଲ୍ କରିବାରେ ବିଶ୍ୱର ୭ମ ଖେଳାଳି ହୋଇଥିଲେ। ଏହା ମଧ୍ୟରେ ନିଜ ଦେଶ ଆର୍ଜେଣ୍ଟିନା ପକ୍ଷରୁ କରିଥିବା ୭୦ ଗୋଲ୍ ମଧ୍ୟ ସାମିଲ। ସର୍ବାଧିକ ୮୦୫ ଗୋଲ୍‌ର ରେକର୍ଡ ଅଷ୍ଟ୍ରିଆର ଜୋସେଫ୍ ବିକନ୍‌ଙ୍କ ନାମରେ ରହିଛି।