ପତ୍ନୀ ଟିଏମସିରେ ମିଶିଲେ, ସ୍ୱାମୀଙ୍କ ଛାଡପତ୍ର ଧମକ

ପତ୍ନୀ ଟିଏମସିରେ ମିଶିଲେ, ସ୍ୱାମୀଙ୍କ ଛାଡପତ୍ର ଧମକ
ପତ୍ନୀ ଟିଏମସିରେ ମିଶିଲେ, ସ୍ୱାମୀଙ୍କ ଛାଡପତ୍ର ଧମକ

ନୂଆଦିଲ୍ଲୀ,  ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି) ଓ କେନ୍ଦ୍ରର  ବିଜେପି ମଧ୍ୟର ଅହିନକୁଳ ସମ୍ପର୍କ ଦେଖିବାକୁ ମିଳୁଛି। ନିକଟରେ ପଶ୍ଚିମବଙ୍ଗ ଗସ୍ତ ସମୟରେ ବିଜେପି ସଭାପତି ଜେପି ନଡ୍ଡାଙ୍କ କାରକେଡ୍ ଉପରେ ଟିଏମସି କର୍ମୀଙ୍କ ଆକ୍ରମଣଠାରୁ ଆରମ୍ଭ କରି ରାଜ୍ୟ କ୍ୟାଡରର ତିନିଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ବାଧ୍ୟ କରାଯିବା ଘଟଣା, ଏହି ସମ୍ପର୍କର ମୁକସାକ୍ଷୀ ପାଲଟିଛି। ତେବେ ଦୁଇ ଦଳର ଏଭଳି ରାଜନୈତିକ ସମ୍ପର୍କକୁ ନେଇ ରାଜ୍ୟ ରାଜନୀତି ସହ ସମ୍ପର୍କ ରଖିଥିବା ପତିପତ୍ନୀଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହେବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ପତ୍ନୀ ହଠାତ୍ ଟିଏମସିରେ ଯୋଗଦେବାପରେ ବିଜେପିରେ ଥିବା ପତି ଏହା ସହ୍ୟ କରିନପାରି ଛାଡପତ୍ର ଧମକ ଦେଇଥିବା ଜଣାପଡିଛି।
ସୌମିତ୍ର ଖାନ୍  ପୂର୍ବରୁ ଟିଏମସି ଦଳରେ ଥାଇ ୨୦୧୪ରେ ବାଙ୍କୁଡା ଜିଲ୍ଲାର ବିଷ୍ଣୁପୂର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ଟିଏମସି ତ୍ୟାଗ କରି ବିଜେପିରେ ଯୋଗଦେଇଥିଲେ ଏବଂ ୨୦୧୯ରେ ବିଷ୍ଣୁପୁର ଆସନରୁ ପୁଣିଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସବୁ କିଛି ଠିକ୍ ଚାଲିଥିବାବେଳେ ସୋମବାର ୩୯ ବର୍ଷୀୟ ସୌମିତ୍ରଙ୍କ ପତ୍ନୀ ସୁଜାତା ମଣ୍ଡଳ (ଖାନ୍) ହଠାତ୍ ଟିଏମସିରେ ଯୋଗଦେବାର ସମ୍ବାଦ ସାର୍ବଜନୀନ ହୋଇଥିଲା। ଏହାକୁ ସୌମିତ୍ର ହଜମ କରିପାରିନାହାନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସେ ପାରିବାରିକ ଝଡ ସମ୍ପର୍କରେ ବୟାନ ଦେବା ସହ ଚବିଶ ଘଣ୍ଟା ମଧ୍ୟରେ ସୁଜାତାଙ୍କୁ ଛାଡପତ୍ର ଦେବେ ବୋଲି କହିଛନ୍ତି। ଘରର ଲକ୍ଷ୍ମୀଙ୍କୁ ଟିଏମସି ଚୋରାଇ ନେଇଛି ଏବଂ ଦୀର୍ଘ ୧୦ ବର୍ଷର ଦାମ୍ପତ୍ୟ ଜୀବନର ଏଭଳି ପରିସମାପ୍ତି ଘଟିବ ବୋଲି ସେ କେବେ ଆଶା କରିନଥିବା ସୌମିତ୍ର ଅଶ୍ରୁଭରା କଣ୍ଠରେ କହିଛନ୍ତି।
ଅପରପକ୍ଷରେ ସ୍ୱାମୀଙ୍କ ଛାଡପତ୍ର ଧମକକୁ ସୁଜାତା ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ରାଜନୀତି ପାଇଁ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହେବା ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଛନ୍ତି। ଦେଶରେ ଏଭଳି ବହୁ ପତି ପତ୍ନୀ ଅଛନ୍ତି, ଯେଉଁମାନେ ପୃଥକ ରାଜନୈତିକ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି, ତେବେ ସେମାନଙ୍କର ପାରିବାରିକ ସମ୍ପର୍କ ଅତୁଟ ରହିଥିବା ସୁଜାତା କହିଛନ୍ତି।