ପୁଲିସ-ଡକାୟତ ଲଢେଇ : ବନ୍ଧୁକ ମୁକାବିଲାରେ ଢେଲା

ପୁଲିସ-ଡକାୟତ ଲଢେଇ : ବନ୍ଧୁକ ମୁକାବିଲାରେ ଢେଲା
ପୁଲିସ-ଡକାୟତ ଲଢେଇ : ବନ୍ଧୁକ ମୁକାବିଲାରେ ଢେଲା

ଜଙ୍ଗଲ ରାସ୍ତାରେ ପୁଲିସ ଓ ଡକାୟତଙ୍କ ମଧ୍ୟରେ ଘମାସାନ ଯୁଦ୍ଧ ଦେଖିବାକୁ ମିଳିଛି। ଫିଲ୍ମ ଷ୍ଟାଇଲରେ ଡକାୟତଙ୍କ ଧମକକୁ ଖାତିର ନକରି ପୁଲିସ ସେମାନଙ୍କୁ ସାମ୍ନା କରୁଛି । ସ୍ଥାନୀୟ ଲୋକେ ମଧ୍ୟ ପୁଲିସକୁ ସାହାରା ଦେଇ ହାତରେ ଢେଲା ଧରି ଛିଡ଼ା ହୋଇଛନ୍ତି। ଡକାୟତ ବନ୍ଧୁକ ଧରି ଗୁଳି ଫୁଟାଇ ଦେବାକୁ କହୁଥିଲେ ମଧ୍ୟ ପୁଲିସ ଅଧିକାରୀ ଭୟଭୀତ ହୋଇନଥିଲେ। ବରଂ ଡକାୟତଙ୍କୁ ଭଲରେ ସରେଣ୍ଡର କରିବା ପାଇଁ ପୁଲିସ କହିଥିଲା। ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଘଟିଛି। ଡକାୟତମାନେ ଅଣଓଡ଼ିଆ ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଜଙ୍ଗଲ ମଧ୍ୟରେ ପୁଲିସ ଏବଂ ଡ଼କାୟତଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ୩ଜଣ ଡକାୟତ ହାତରେ ବନ୍ଧୁକ ଧରି ପୁଲିସକୁ ଧମକାଉ ଥିଲେ। ହେଲେ ସାଧା ପୋଷାକରେ ଥିବା ପୁଲିସ ହାତରେ ପଥର ଧରି ସାହାସିକତା ଦେଖାଇଥିଲେ। ଏଭଳି ଭୟଙ୍କର ଦୃଶ୍ୟ‌ ଦୀର୍ଘ ସମୟ ଧରି ଚାଲିଥିଲା। ଖବର ପାଇ ଗ୍ରାମବାସୀ ମାରଣାସ୍ତ୍ର ଓ ଠେଙ୍ଗା ଧରି ଘଟଣାସ୍ଥଳକୁ ଆସିବା ପରେ ଡକାୟତମାନେ ଭୟଭୀତ ହୋଇ ବନ୍ଧୁକ ଛାଡ଼ି ଦେଇଥିଲେ। ୩ଜଣ ଡକାୟତ ଗୁଳି ଭର୍ତ୍ତି ବନ୍ଧୁକ ଧରିଥିଲେ। ଡକାୟତମାନେ କୌଣସି ଅପରାଧ ଘଟାଇବା ପାଇଁ ଜଙ୍ଗଲରେ ଯୋଜନା କରୁଥିବାବେଳେ ପୁଲିସ ସୂଚନା ପାଇ ଚଢ଼ଉ କରିଥିବା ସୂଚନା ମିଳିଛି।