Tuesday, January 13, 2026
27.1 C
Odisha

    ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ

    ଆଗକୁ ପଢନ୍ତୁ

    ପାରଳାଖେମୁଣ୍ଡି   :   ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ ପାଇଁ ସହଜ ହେବ। ନିର୍ମାଣ ହେବାକୁ ଥିବା ୪୬୦ ମିଟର ଲମ୍ବର ଏହି ପୋଲ ହେଲେ ଉଭୟ ଆନ୍ଧ୍ର ଓ ଓଡିଶା ମଧ୍ୟରେ ରହିଥିବା ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କକୁ ମଜଭୁତ୍‌ କରିବ। ବଂଶୀଧରା ନଦୀ ଉପରେ ବଥବା-ଲିହୁରି ମଧ୍ୟରେ ଏହି ପୋଲ ନିର୍ମାଣ ହେବ। ପାରଳା ମହାରାଜା ୧୮୦୦ ମସିହାରେ ବଂଶଧାରା ନଦୀକୂଳ ଲିହୁରିଠାରେ ଗୋପୀନାଥ ମନ୍ଦିର ନିର୍ମାଣ କରିଥିଲେ। ସ୍ବତନ୍ତ୍ର ପ୍ରଦେଶ ଗଠନ ବେଳେ ଏହା ଓଡ଼ିଶା ବାହାରେ ରହିଯାଇ ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରରେ ରହିଛି। ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ଏହି ଗୋପୀନାଥ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ରହିଛି। ବଂଶଧରା ଉପରେ ପୋଲ ନିର୍ମାଣ ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଗୋବିନ୍ଦ ମାର୍ଣ୍ଡି ସୂଚନା କହିଛନ୍ତି, ସରକାର ବଂଶଧାରା ଉପରେ ପୋଲ ନିର୍ମାଣ ଲାଗି ଘୋଷଣା କରିବା ପରେ ଏବେ ସର୍ଭେ କାମ ଆରମ୍ଭ ହୋଇଛି। ଏହାର ସବିଶେଷ ରିପୋର୍ଟ ଶୀଘ୍ର ସରକାରଙ୍କୁ ପ୍ରଦାନ କରାଯିବ। ଆବଶ୍ୟକ ପାଣ୍ଠି ଆସିବା ପରେ ପୋଲ ନିର୍ମାଣ କାମ ଆରମ୍ଭ ହେବ। ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଏବଂ ଦେଶ ସ୍ବାଧୀନତାକୁ ଇତି ମଧ୍ୟରେ ୭ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଗଲାଣି। ଏହି ଐତିହାସିକ ସ୍ଥାନର ଯେଭଳି ଉନ୍ନତି ହେବା କଥା ତାହା ହୋଇନାହିଁ। ଲିହୁରିସ୍ଥିତ ଗୋପୀନାଥ ମନ୍ଦିରକୁ ଯିବାକୁ ଆନ୍ଧ୍ର ପଟେ ରହିଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ଥିବା ବେଳେ ଓଡିଶା ପଟେ ବଂଶଧାରା ନଦୀ ବାଧକ ସାଜିଆସିଛି। ଏହି ମନ୍ଦିରକୁ ଯିବାପାଇଁ ବଂଶଧାରା ନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ଲୋକେ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ।

    ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ଏବେ ବଂଶଧାରା ଉପରେ ୪୬୦ମିଟର ଲମ୍ବର ପୋଲ ନିର୍ମାଣ ପାଇଁ ସବୁଜ ସଂକେତ ଦେଇଛନ୍ତି। ଗଜପତି ଜିଲା କାଶୀନଗର ବ୍ଲକ ବଥବା ପୁର୍ତ୍ତ ବିଭାଗ ରାସ୍ତାଠାରୁ ଲିହୁରୀକୁ ଏହି ସେତୁ ଯୋଡିବ। ଏହାଦ୍ବାରା କେବଳ ସାଂସ୍କୃତିକ ନୁହେଁ, ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଅଞ୍ଚଳର ଅନେକ ଉନ୍ନତି ହୋଇପାରିବ ବୋଲି ଉଭୟ ଆନ୍ଧ୍ର ଓ ସେଠାରେ ବସବାସ କରୁଥିବା ଓଡିଶାର ଓଡିଆ ଲୋକେ କହିଛନ୍ତି। ବୃନ୍ଦାବନରେ ଯମୁନା ନଦୀ କୂଳରେ ପୂଜା ପାଉଥିବା ରାଧାରାଣୀଙ୍କ ଭଳି ଏଠାରେ ମଧ୍ୟ ବଂଶଧାରା କୂଳରେ ନିମ୍ବ ଦାରୁରେ ନିର୍ମିତ ପ୍ରାୟ ୪ଫୁଟ ଉଚ୍ଚର ତ୍ରିଭଙ୍ଗୀ ଠାଣିର ଶ୍ରୀକୃଷ୍ଣଙ୍କ ସହ ରାଧାରାଣୀଙ୍କ ସୁନ୍ଦର ବିଗ୍ରହ ରହିଛି । ପାରଳାଖେମୁଣ୍ଡି ମହାରାଜା ଜଗନ୍ନାଥ ଦେବଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଏହି ଗୋପୀନାଥ ମନ୍ଦିର ପରିଚାଳନା ପାରଳା ମହାରାଜା କରୁଛନ୍ତି। ଦୋଳଯାତ୍ରା ଏବଂ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ଏଠାରେ ଭିଡ ଜମେ। ପ୍ରତ୍ୟହ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଆନ୍ଧ୍ର ପଟେ ଆସି ଦର୍ଶନ କରି ଫେରିଥାନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଗୁରୁତ୍ୱ ଦେଇ ୧୯୦୦ ମସିହାରେ ନୌପଡା-ପାରଳାଖେମୁଣ୍ଡି ନେରୋଗଜ ରେଳପଥକୁ ଗୁଣପୁର ଯାଏ ସଂପ୍ରସାରଣ କରିବା ବେଳେ ଲିହୁରୀଠାରେ ଗୋଟିଏ ଷ୍ଟେସନ କରିଥିଲେ। ଆଜିଯାଏ ଲୋକେ ସେହି ଷ୍ଟେସନରେ ଓଲ୍ଲାଇ ବଂଶଧାରା ନଦୀ ଭିତର ଦେଇ ବିପଦସଙ୍କୁଳ ଅବସ୍ଥାରେ ଠାକୁର ଦର୍ଶନ କରି ଫେରୁଛନ୍ତି ।

    ଅନ୍ୟପକ୍ଷରେ ବଂଶଧାରା ଉପରେ ପୋଲ ନିର୍ମାଣ ନେଇ ନିଷ୍ପତ୍ତି ରାଜ୍ୟ ସରକାର ନେବା ପରେ ଭାଜପା ଓ ବିଜେଡି ମଧ୍ୟରେ ଶ୍ରେୟ ନେବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ୫ବର୍ଷ ତଳେ ସେ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ରାଜ୍ୟ ଭାଜପା ଉପସଭାପତି କେ. ନାରାୟଣ ରାଓ ଏକ ଖବରଦାତା ସମ୍ମିଳନୀରେ କହିଥିବା ବେଳେ ପାରଳାଖେମୁଣ୍ଡିର ବର୍ତ୍ତମାନର ବିଜେଡି ବିଧାୟକ ରୁପେଶ ପାଣିଗ୍ରାହୀ ଗତ ୧୯ା୯ା୨୦୨୫ ଚିଠି ନମ୍ବର ୪୦୧୮/୨୫ରେ ଏନେଇ ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସରକାର ଅନୁମୋଦନ କରିଛନ୍ତି ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    21 %
    4.2kmh
    0 %
    Tue
    25 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ