Sunday, January 18, 2026
30.1 C
Odisha

    ବଦଳିଲା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମ- ସିଧା ଜିଲାପାଳଙ୍କ ପାଖକୁ ଯିବ ଗ୍ରାମସଭା ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଯୋଜନା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି। ସେହିପରି ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ। ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଡିଫେକ୍ଟ ଲାଏବିଲିଟି ପିରିୟଡ୍ ନିୟମ ଲାଗୁ ହେବ, ଅର୍ଥାତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦିନଠାରୁ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି, ରକ୍ଷଣାବେକ୍ଷଣ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ଦାୟୀ ରହିବ। ଯାହାଦ୍ବାରା ସମସ୍ୟାର ଶୀଘ୍ର ନିରାକରଣ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟା ସରଳ ହୋଇଥିଲା ବେଳେ ଦୀର୍ଘ ମିଆଦି ପ୍ରକଳ୍ପ ସଂଖ୍ୟା ବୃଦ୍ଧି ପାଇଁ ବ୍ୟବସ୍ଥା ହୋଇଛି। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସଂକଳ୍ପନାମା ପ୍ରକାଶ ପାଇଛି।

    ବିଭାଗର ସଂକଳ୍ପନାମା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଏବଂ ମିଳିଥିବା ଅନୁଦାନକୁ ଦୃଷ୍ଟିରେ ରଖି ଗ୍ରାମ ସଭା ପ୍ରକଳ୍ପ ତାଲିକା ପ୍ରସ୍ତୁତ କରିବ। ଏହି ପ୍ରସ୍ତାବଗୁଡ଼ିକୁ ଉକ୍ତ ବ୍ଲକର ନୋଡାଲ ଅଧିକାରୀ ଗ୍ରାମସଭାରୁ ସଂଗ୍ରହ କରି ତୁରନ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ। ନୋଟିସ ପ୍ରକାଶନ ମାଧ୍ୟମରେ ଜିଲ୍ଲାପାଳ ମଧ୍ୟ ପ୍ରତିବର୍ଷ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ନିର୍ବାଚିତ ଜନପ୍ରତିନିଧି, ସାମାଜିକ ଅନୁଷ୍ଠାନଗୁଡ଼ିକରୁ ପ୍ରକଳ୍ପ ପ୍ରସ୍ତାବ ଆହ୍ବାନ କରିବେ। ପ୍ରସ୍ତାବ ଆହ୍ବାନ ପାଇଁ ଜିଲ୍ଲାପାଳ, ବ୍ଲକ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମେତ ୱେବ୍‌ସାଇଟ୍‌ ଓ ପଞ୍ଚାୟତରେ ନୋଟିସ ଲଗାଯିବ।

    ନୋଟିସ ପ୍ରକାଶନର ୭ ଦିନ ମଧ୍ୟରେ ତାହା ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ବିଭାଗ ପକ୍ଷରୁ କୁହାଯାଇଛି, ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ। ମୁଖ୍ୟ ଉନ୍ନୟନ ଅଧିକାରୀ/ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ କମିଟିର ଆବାହକ ଓ ଅତିରିକ୍ତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏହାର ସଦସ୍ୟ ଦାୟିତ୍ବ ନିର୍ବାହ କରିବେ। ସମ୍ପୃକ୍ତ ଆର୍ଥିକ ବର୍ଷରେ ମିଳିଥିବା ପାଣ୍ଠିକୁ ବିଚାର କରି ଅଗ୍ରାଧିକାର ଭିତ୍ତିରେ ଗ୍ରାମସଭାରୁ ଆସିଥିବା ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବ।

    – Advertisement –

    ଗ୍ରାମାଞ୍ଚଳର ବିକାଶ ପାଇଁ ବିଜେଡି ସରକାର ଆରମ୍ଭ କରିଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବଦଳରେ ବିଜେପି ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ପ୍ରଣୟନ କରିଛନ୍ତି। ଦୀର୍ଘ ସ୍ଥାୟୀ ଓ ବହୁମୁଖୀ ପ୍ରକଳ୍ପ ନିର୍ମାଣ ଲକ୍ଷ୍ୟରେ ଗତବର୍ଷ ଜାନୁଆରୀରେ ରାଜ୍ୟ କ୍ୟାବିନେଟ ପ୍ରତିବର୍ଷ ହଜାରେ କୋଟି ଟଙ୍କା ବ୍ୟୟବରାଦ ସହ ୫ବର୍ଷ ନିମନ୍ତେ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ପ୍ରକଳ୍ପ ତାଲିକାକୁ ବ୍ଲକସ୍ତରୀୟ ବୈଷୟିକ କମିଟି ଯାଞ୍ଚ କରିବା ପରେ ପଞ୍ଚାୟତ ସମିତି ଦ୍ୱାରା ଅନୁମୋଦନ କରି ଜିଲାପାଳଙ୍କ ମଞ୍ଜୁରୀ ପାଇଁ ସୁପାରିସ କରାଯାଉଛି। ନୂଆ ନିୟମ ଅନୁସାରେ ଗ୍ରାମସଭାର ନିଷ୍ପତ୍ତି ପରେ ତାହା ସିଧାସଳଖ ଜିଲାପାଳଙ୍କ ନିକଟକୁ ଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ