ବିଭତ୍ସ ହତ୍ୟାକାଣ୍ଡ: ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ

ବିଭତ୍ସ ହତ୍ୟାକାଣ୍ଡ: ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ
ବିଭତ୍ସ ହତ୍ୟାକାଣ୍ଡ: ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ

ମାଲକାନଗିରି ଜିଲ୍ଲାର ପଡିଆ ଥାନା ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୁଣ୍ଡକୁ ପୋଡ଼ିଦେଇ ବଳକା ଶରୀରକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନନ୍ଦାଗୁଡା ଗ୍ରାମର କିଛି ଲୋକ ସେହି ଗ୍ରାମର କାରାମ କାନାଙ୍କୁ ଘରୁ ଡାକି ଆଣି ଘର ସମ୍ମୁଖରେ ଏକ ଦାଆ ସାହାଯ୍ୟରେ ଗଳାକାଟି ହତ୍ୟା କରିଥିଲେ। ଏହାପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀରରୁ ଅଲଗା କରି ପୋଡିଦେଇଥିଲେ। ବଳକା ଶରୀରକୁ ନଦୀ କୂଳରେ ଥିବା ବାଲିପଠାରେ ପୋତି ଦେଇଥିଲେ।

ଶନିବାର ସକାଳେ ମୃତକର ସ୍ତ୍ରୀ କାରାମ ଭିମେ ପଡିଆ ଥାନାରେ ଆସି ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନା ଆଇଆଇସି ରଞ୍ଜନ କୁମାର ମାଝୀ, ଏସଆଇ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବା ସହ ମୃତ ଶରୀର ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲା। ଏଥିସହ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଏକଜୁକେଟିଭ ମାଜିଷ୍ଟ୍ରେଟ ତଥା ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ଉପସ୍ଥିତିରେ ମୃତଦେହକୁ ଗଭୀର ବାଲିରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡରେ କିଛି ଲୋକଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି।