Tuesday, December 9, 2025
19.8 C
Odisha

    ବରଗଡ଼ ଧନୁଯାତ୍ରା: ଘୋଷଣା ହୋଇନି ଚୟନ ତାରିଖ, କଂସ ଲବି ଆରମ୍ଭ

    ଆଗକୁ ପଢନ୍ତୁ

    ବରଗଡ଼    :   ବୃହତ୍‌ ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରେ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ମାସ ୩ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଏହା ଚାଲିବ। ତେବେ ଏଥର କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେଉଛି। ଗତ ୧ତାରିଖ ଆଶାୟୀଙ୍କ ଆବେଦନ ସରିଯାଇଛି। ତେବେ ଏପର୍ଯ୍ୟନ୍ତ ଚୟନ ତାରିଖ ତ ଘୋଷଣା ହେବା ଦୂରର କଥା, ଆବେଦନ ଫର୍ମର ଯାଞ୍ଚ ସରି ନାହିଁ। ତାହା ଯାଞ୍ଚ ହେବା ପରେ ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ କଳାକାରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅନ୍ୟପଟେ କଂସ ସମେତ ବିଭିନ୍ନ ଚରିତ୍ର ପାଇଁ ଲବି ଆରମ୍ଭ ହୋଇଯାଇଛି। କିଏ ନେତା, ଅଫିସରଙ୍କ ପାଖକୁ ଯାଇ ଗୋଡ଼ତଳେ ପଡୁଥିବାବେଳେ ଆଉକେହି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ଭିନ୍ନଶୈଳୀ ଆପଣେଇ ନେଉଥିବା ସାଧାରଣରେ ଆଲୋଚନା ହେଉଛି।  ଏଥିରେ ସବାଆଗରେ କଂସ ଚରିତ୍ର ରହିଛି। ଏହି ଚରିତ୍ର ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ନୂଆଁ, ପୁରୁଣା କଳାକାର ରହିଛନ୍ତି। ଅନେକ ସ୍ଥାନରେ ଧନୁଯାତ୍ରା ହେଉଥିଲେ ସୁଦ୍ଧା ବରଗଡ଼ ଧନୁଯାତ୍ରା ମହୋତ୍ସବର ଯେଭଳି ଏକ ଅନନ୍ୟ ପରିଚୟ ଏବଂ ଆକର୍ଷଣ ରହିଛି, ଅନୁରୂପଭାବେ ଏହି ମହୋତ୍ସବରେ ଥରୁଟିଏ ଯେଉଁ କଳାକାର କଂସ ଅଭିନୟର ସୁଯୋଗ ପାଇଥାନ୍ତି, କଳା ଜଗତରେ ପୂର୍ବାପେକ୍ଷା ସେମାନଙ୍କର ସମ୍ମାନ ବଢ଼ିବା ସହିତ ତାଙ୍କୁ ମଧ୍ୟ ବରଗଡ଼ ଧନୁଯାତ୍ରାର କଂସ ମହାରାଜଭାବେ ଏକ ନୂଆଁ ପରିଚୟ ମିଳିଥାଏ। ଫଳରେ ଏଠାରେ କଂସ ଅଭିନୟ ପାଇଁ ଅନେକ କଳାକାର ମନରେ ଆଶା ବାନ୍ଧିଥାନ୍ତି ଏବଂ ଚୟନ ପ୍ରକ୍ରିୟାରେ ବିଚାରକବୃନ୍ଦ ଯାହାଙ୍କୁ ମନୋନୀତ କରନ୍ତି, ସେ ହିଁ କଂସ ଅଭିନୟର ସୁଯୋଗ ପାଇଥାନ୍ତି। ସେହି କଳାକାରଙ୍କ କଂସ ଅଭିନୟରୁ ହିଁ ବରଗଡ଼ ଧନୁଯାତ୍ରାର ଆକର୍ଷଣ ବୃଦ୍ଧି ପାଇଥାଏ ଏବଂ ତାହା ଦେଖିବା ପାଇଁ ଦର୍ଶକମାନେ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି।  ପ୍ରତି ୩ବର୍ଷରେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର ଚୟନ କରାଯିବା ବିଧି ବ୍ୟବସ୍ଥା ରହିଛି। ଏହି ଦୃଷ୍ଟିରୁ ଏଥର କଳକାର ଚୟନ ପ୍ରକ୍ରିୟା ଅନେକ ଗୁରୁତ୍ୱ ବହନ କରୁଛି। ତେବେ ଏଥର କଂସ ଅଭିନୟ ସୁଯୋଗ କାହାକୁ ମିଳିବ, ତାକୁ ନେଇ ଏବେଠାରୁ ଚା ଖଟିଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି। ଗତ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ତାଙ୍କ ପୂର୍ବ ଘୋଷଣା ଅନୁଯାୟୀ ଏଥର ଚୟନ ପ୍ରକ୍ରିୟାରେ ଭାଗ ନେଉ ନାହାନ୍ତି। ଅନ୍ୟପଟେ ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ମୃତକଙ୍କ ସମ୍ପର୍କୀୟଙ୍କୁ ଟଙ୍କା ଦାବି ଅଭିଯୋଗ ପରେ ଗତ ଧନୁଯାତ୍ରା ମହୋତ୍ସବରେ ଅଭିନୟରୁ ବଞ୍ଚିତ ହୋଇଥିବା ହୃଷିକେଶ ଭୋଇ(ଜିଲା ସ୍ବାସ୍ଥ୍ୟ ବିଭାଗର ଡ୍ରାଇଭର) ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦନ ଫର୍ମ ଭରିଛନ୍ତି। କିନ୍ତୁ ତାଙ୍କ ବିରୋଧରେ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ଜିଲାପାଳଙ୍କୁ ଫେରାଦ ହେବା ହୃଷିକେଶଙ୍କ ପାଇଁ ଅଡୁଆ ସାଜିଛି। କୋର୍ଟରେ ତାଙ୍କ ବିରୋଧରେ ମାମଲା ବିଚାରାଧିନ ରହିଛି ଏବଂ ସେ ଦୋଷମୁକ୍ତ ହୋଇ ନଥିବା ଅଭିଯୋଗ କରି ତାଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ନ କରିବାକୁ ସଂଘ ଜିଲାପାଳଙ୍କଠାରେ ଦାବି କରିଛି। କଂସ ଅଭିନୟ ପାଇଁ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଆର୍ତ୍ତତ୍ରାଣ ସୁନାନୀ ଯାଦବ, ସୋନପୁର ଜିଲା ବିନିକାର ଗୋପାଳ ପଣ୍ଡା, ବରଗଡ଼ ଜିଲା ଭେଡ଼େନ ବ୍ଲକ ଚିଚିଣ୍ଡାର ସୁଶିଲ ମେହେର, ବରଗଡ଼ ବ୍ଲକ ଦେଓଗାଁର ଜଗଦାନନ୍ଦ ମିଶ୍ର, ସୋନପୁର ଜିଲା ସାରସମାଲର ମନୋରଞ୍ଜନ ଚିରଗୁଣଙ୍କ ସମେତ ଅନେକ କଳକାର କଂସ ଅଭିନୟ ପାଇଁ ଆବେଦନ କରିଛନ୍ତି। ଏହା ସହିତ ଉଗ୍ରସେନ, ମହାମନ୍ତ୍ରୀ ସାର୍ତ୍ତକୀ, ଚାଣୁର, ମୁଷ୍ଟିକ, ଅକ୍ରୂର,ବାସୁଦେବ, ଦେବକୀ, ନାରଦ, ସେନାପତି ଚରିତ୍ର ପାଇଁ ମଧ୍ୟ ଅନେକ କଳାକାର ଆବେଦନ କରିଛନ୍ତି। ତେବେ ଚୟନ ପ୍ରକ୍ରିୟା ନେଇ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି, ଆବେଦନ ପ୍ରକ୍ରିୟା ସରିଛି। ଶୀଘ୍ର ଆବେଦନ ଫର୍ମ ଗୁଡ଼ିକର ଯାଞ୍ଚ ସାରି ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ କଳାକାରଙ୍କ ନାମ ଏବଂ ଚୟନ ତାରିଖ ଘୋଷଣା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ