ବାଲେଶ୍ଵର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ଵର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବାଲେଶ୍ଵର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ବର:  ବାଲେଶ୍ଵର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳକୁ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ବାତ୍ୟା ପ୍ରଭାବିତ ଅଂଚଳର ଦୁର୍ଦ୍ଦଶା ସୁଧୁରି ନଥିବାରୁ ଅଞ୍ଚଳବାସୀ ଏହାର ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଦାବି ରଖିଛନ୍ତି ।

ବାତ୍ୟା ୟାସ୍‌ ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳର ନକ୍ସା ବଦଳି ଯାଇଛି । ବାତ୍ୟା ଛାଡିବାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏବେ ବହୁ ପରିବାର ଦୁର୍ଦିନରେ ଅଛନ୍ତି । ଶ୍ରୀକୋଣା ଓ ସାର୍ଥା ପଂଚାୟତରେ ବହୁ ଅଂଚଳ ଲୁଣି ପାଣି ମାଡ଼ି ଯାଇଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗିଛି । ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ଅଂଚଳରେ ବୁଢ଼ାବଳଙ୍ଗ ନଦୀବନ୍ଧ ଭାଙ୍ଗିଯିବାରୁ ବହୁ ଅଂଚଳ ଲୁଣି ପାଣି ମାଡ଼ିଯିବା ସହ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ ହୋଇଥିବା ନଜରକୁ ଆସିଛି । ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ମଧ୍ୟ ହୋଇଥିବା ଦେଖାଯାଇଛି । ନଦୀରେ ପଥର ପ୍ୟାକିଂ କାମ ବେଳେ ନଦୀବନ୍ଧକୁ କାଟା ଯାଇଥିବା ଆଜି ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀ ୧୧ ଟାରେ ବାଲେଶ୍ଵର ଆଇଟିଆର ହେଲିପ୍ୟାଡ଼ ଠାରେ ଓହ୍ଲାଇବା ପରେ ଶ୍ରୀକୋଣା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ । ଅଞ୍ଚଳବାସୀ ମଧ୍ୟ ତାଙ୍କର ଅଭିଯୋଗ ଶୁଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଙ୍ଗିଥିବା ନଦୀବନ୍ଧ ବୁଲିବା ପରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଖୁବଶୀଘ୍ର ନଦୀବନ୍ଧର ମରାମତି କରାଯିବା ସହ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଅଞ୍ଚଳ କିପରି ସ୍ୱାଭାବିକ ହେବ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।