ବିଶ୍ୱସ୍ତରୀୟ ବେଳାଭୂମି ହେବ ଚନ୍ଦ୍ରଭାଗା ଓ ତଳସାରୀ

ବିଶ୍ୱସ୍ତରୀୟ ବେଳାଭୂମି ହେବ ଚନ୍ଦ୍ରଭାଗା ଓ ତଳସାରୀ
ବିଶ୍ୱସ୍ତରୀୟ ବେଳାଭୂମି ହେବ ଚନ୍ଦ୍ରଭାଗା ଓ ତଳସାରୀ

ଭୁବନେଶ୍ୱର, ବିଶ୍ୱସ୍ତରୀୟ ବେଳାଭୂମୀ ହେବ ଚନ୍ଦ୍ରଭାଗା ଓ ତଳସାରୀ। ଏଥିପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ। ୨୦୨୧ ଅକ୍ଟୋବର ସୁଦ୍ଧା ଭିତ୍ତିଭୂମି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି।
ମଙ୍ଗଳବାର ଏ ସମ୍ପର୍କିିତ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦୁଇଟି ମହତ୍ୱାକାଂକ୍ଷୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ଚନ୍ଦ୍ରଭାଗା ଏବଂ ବାଲେଶ୍ୱର ଜିଲ୍ଲାରେ ଥିବା ତଳସାରୀ-ଉଦୟପୁର ବେଳଭୂମିର ଆକର୍ଷଣ ଅନନ୍ୟ। ପର୍ଯ୍ୟଟକଙ୍କୁ ଏହି ଦୁଇ ବେଳାଭୂମି ଖୁବ୍ ଆକର୍ଷିତ କରିଥାଏ। ଏହାକୁ ଆହୁରି ଆକର୍ଷିତ କରାଯାଇ ବିଶସ୍ତରୀୟ କରାଯିବ ଏବଂ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଯୋଡିବା ପାଇଁ ଏନେଇ ନୂଆ ଖସଡ଼ା ପ୍ରସ୍ତୁତ ହୋଇଛି।
ବାଲେଶ୍ୱର ଚନ୍ଦନେଶ୍ୱର ସନ୍ନିକଟ ତାଳସାରି ବେଳାଭୂମିକୁ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ୨.୪ କିମି ଅଞ୍ଚଳକୁ ବିକଶିତ କରାଯିବ। ବେଳାଭୂମିରେ ଏକାଧିକ ଦିନ ରହଣି ବ୍ୟବସ୍ଥା ସହ ତାରକା, ବଜେଟ୍ ହୋଟେଲ ଓ ରେସ୍ତୋରାଁ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ। ବର୍ଷା ଆଶ୍ରୟସ୍ଥଳ, କିଓସ୍କ ଓ ପ୍ୟାଭିଲିୟନ ଆଦି ନିର୍ମାଣ ହେବ। ବେଳାଭୂମିରେ ସୋଲାର ଫଟୋ ଭୋଲଟିକ୍ ପ୍ୟାନେଲ୍ସ ନିର୍ମାଣ ସହିତ ବେଳାଭୂମିର କିଛି ଦୂରରେ ଥିବା ଦ୍ୱୀପକୁ ‘ସିଟିଂ ଆଇଲ୍ୟାଣ୍ଡ’ ଭାବେ ପରିଚିତ କରାଯିବ। ଏଥିସହ ସେଠାରେ ଆମ୍ପିଥିଏଟର ଓ କ୍ରାଫ୍ଟ ପ୍ଲାଜା ଆଦି ଅତ୍ୟାଧୁନିକ ସୁବିଧା ରହିବ।
ନୂଆ ଯୋଜନାରେ ପୁରୀ-କୋଣାର୍କ ବେଳାଭୂମିକୁ ଅନୁରୂପ ଗୁରୁତ୍ୱ ଦିଆଯାଇଛି। ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ। ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନରେ ଜଳକ୍ରୀଡା, ଆମୋଦପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ୍ ଟ୍ରାକ୍, ସମୁଦ୍ରର କୂଳେ କୂଳେ କାଠରେ ନିର୍ମିତ ଚଲାପଥ, ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ଖେଳ ପାଇଁ ସ୍ୱତନ୍ତ୍ର ଅଞ୍ଚଳ, ସୂର୍ଯ୍ୟୋଦୟ ଦେଖିବା ପାଇଁ ମଞ୍ଚ, ଦୁଃସାହସିକ ଜଳ କ୍ରୀଡା ଆଦି ଅତ୍ୟାଧୁନିକ ସୁବିଧା ସେହି ସବୁ ସ୍ଥାନମାନଙ୍କରେ ଉପଲବ୍ଧ ହେବ।

ବିଦେଶୀ ପର୍ଯ୍ୟଟକ କିଭଳି ଅଧିକ ସଂଖ୍ୟାରେ ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିକୁ ଆସିବେ ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ପର୍ଯ୍ୟଟକ ଗାଧୋଇ ଥିବାବେଳେ ଭାସି ନଯିବା ପାଇଁ ଲାଇଫ୍ ଗାର୍ଡମାନଙ୍କୁ ମୁତୟନ କରାଯିବ। ଏସବୁର ନିୟମିତ ତଦାରଖ ବ୍ୟବସ୍ଥା ମଧ୍ୟ ହେବ। ବେଳାଭୂମିରେ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବି ରହିବ। ବାଲି ସୁରକ୍ଷା ବ୍ୟବସ୍ଥା ଓ ରଙ୍ଗବେରଙ୍ଗର ଆଲୋକର ସୁବିଧା ରହିବ । ଏଥିପାଇଁ ସ୍ଥାନୀୟ ଲୋକଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରାଯିବ।
ଏହି ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମୋନା ଶର୍ମାଙ୍କ ସମେତ ପର୍ଯ୍ୟଟନ ସଚିବ ବିଶାଲ ଦେବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ପ୍ରମୁଖ ଉପସ୍ଥିତ ଥିଲେ।