Thursday, January 22, 2026
27.9 C
Odisha

    ବିଧାନସଭାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଲେ ବିରୋଧୀ, ସିବିଆଇ ତଦନ୍ତ ଦାବି କଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ସରକାର ସିବିଆଇ ତଦନ୍ତ କରିବା ଉଚିତ। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସିବିଆଇ ତଦନ୍ତ କରାଯିବ। ତାମିଲ ନେଇଗଲା ତାମିଲକୁ ଧର ଧର.. ଭଳି କଥା ବି କହିଥିଲେ ବିଜେଡି ବିଧାୟକ।

    ସୂଚନାଯୋଗ୍ୟ, ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଚାବି ହଜିବା ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଘୁବୀର ଦାଶଙ୍କୁ କମିସନଙ୍କ ଅଧୢକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଥିଲେ। ୨୦୧୮ ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମସ୍‌ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ତଦନ୍ତ ପରେ କମିସନ ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ରହସ୍ୟ ରହିଛି। କିନ୍ତୁ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରୁ ନାହାନ୍ତି। ରିପୋର୍ଟକୁ ସାର୍ବଜନୀନ ମଧ୍ୟ କରାଯାଉ ନାହିଁ। କମିସନ ଅଫ୍ ଇନ୍‌କ୍ବାରି ଆଇନ ୧୯୫୨ର ଧାରା ୩(୪) ଅନୁସାରେ ସରକାର ଏହି ପ୍ରସଙ୍ଗରେ ପଦକ୍ଷେପ ନିଅନ୍ତୁ ବୋଲି ଦର୍ଶାଇ ଆବେଦନକାରୀ ୨୦୨୩ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କମିସନ ଅଫ୍ ଇନ୍‌କ୍ବାରି ଆଇନ ଅନୁସାରେ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ଗତ ନିର୍ବାଚନ ସମୟରେ  ପୁଣି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଗର୍ଜିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ଦେବାକୁ ପଡ଼ିବ ଯେ ଭଗବାନ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି କେଉଁଠି ଅଛି? ରତ୍ନଭଣ୍ଡାରର ତଦନ୍ତ କମିସନର ରିପୋର୍ଟ ସାର୍ବଜନୀନ କାହିଁକି କରାଗଲା ନାହିଁ? ବିଜେଡି ସରକାର କାହାକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି? ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ମାସକ ଭିତରେ ତଦନ୍ତ କମିସନ୍ ରିପୋର୍ଟକୁ ସାର୍ବଜନୀନ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ବାର ଓ ରତ୍ନ ଭଣ୍ଡାର ଖୋଲାଯିବ। ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରି ଶାହ କହିଥିଲେ, ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶାର ନାଗରିକ ଦେଶର ସବୁଠାରୁ ଅଧିକ ଗରିବ। ଏହାର କାରଣ ହେଲା ଓଡ଼ିଶାର ଖଣିଜ ସମ୍ପଦକୁ ବାବୁମାନଙ୍କ ଇସାରାରେ ରାଜ୍ୟ ବାହାରକୁ ପଠାଇବା ପାଇଁ କାମ କରାଯାଉଛି। ଖାଦାନ ମିଳିବ ତାମିଲକୁ, ଠିକା ମିଳିବ ତାମିଲକୁ, ରୋଜଗାର ମିଳିବ ବି ତାମିଲକୁ। ନବୀନ ବାବୁଙ୍କୁ ଯଦି ଏପରି କରିବାର ଥିଲା, ତେବେ ତାମିଲନାଡ଼ୁରୁ ନିର୍ବାଚନ ଲଢ଼ିବାର ଥିଲା। ଓଡ଼ିଶାରୁ ପଳାୟନକୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ରୋକିପାରିବେ। ଏଣେ ବିଜେପିର ବରିଷ୍ଠ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା  ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ସହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ଏଥର ରାଜ୍ୟରେ ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିରର ଚାରିଦ୍ବାରା ଖୋଲାଯିବ। ଏହାସହିତ ରତ୍ନଭଣ୍ଡାର ଚାବି ପାତାଳରେ ଥିଲେ ମଧ୍ୟ ଏହାକୁ ଖୋଜି ବାହାର କରିବୁ ବୋଲି କହିଥିଲେ। ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବଶର୍ମା କାକଟପୁରଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି। କିନ୍ତୁ ଏଠାରେ ପାଣ୍ଡିଆନ, ଖାଲି ବ୍ୟାଗ୍‌ ଦୁଇଟି ଦେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏଥିପାଇଁ ପାଣ୍ଡିଆନଙ୍କୁ ନୋବେଲ୍‌ ପୁରସ୍କାର ଦିଆଯିବା ଉଚିତ ବୋଲି ପାଣ୍ଡିଆନଙ୍କୁ ଶ୍ରୀ ବିଶ୍ବଶର୍ମା କଟାକ୍ଷ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    26 %
    2.4kmh
    0 %
    Thu
    29 °
    Fri
    30 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ