ଭୁବନେଶ୍ବର ଓ ରାଉରକେଲା ହେଲା ୨ ନୂତନ ଅବକାରୀ ଜିଲ୍ଲା

ଭୁବନେଶ୍ବର ଓ ରାଉରକେଲା ହେଲା ୨ ନୂତନ ଅବକାରୀ ଜିଲ୍ଲା
ଭୁବନେଶ୍ବର ଓ ରାଉରକେଲା ହେଲା ୨ ନୂତନ ଅବକାରୀ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଅବକାରୀ ବିଭାଗକୁ ଚଳଚଞ୍ଚଳ କରିବାପାଇଁ  ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶା ଅବକାରୀ ସେବା କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଏହାଦ୍ବାରା ଅତିରିକ୍ତ କମିସନର, ଯୁଗ୍ମ କମିସନର, ଉପକମିସନର, ଅବକାରୀ ଅଧୀକ୍ଷକ, ଉପଅବକାରୀ ଅଧୀକ୍ଷକ, ନିରୀକ୍ଷକ, ଉପନିରୀକ୍ଷକ, ସହକାରୀ ଉପନିରୀକ୍ଷକ ଓ ଅବକାରୀ ସିପାହି ଆଦି ପଦରେ ୩୦୪ଟି ନୂତନ ପଦ ସୃଷ୍ଟି କରାଯାଇଛି। ଏହାସହିତ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାକୁ ଭାଗକରି ଭୁବନେଶ୍ବର ଓ ରାଉରକେଲାଠାରେ ୨ଟି ନୂତନ ଅବକାରୀ ଜିଲା ଗଠନ କରାଯିବା ସହିତ ୪ଟି ଅମଲା ପଦ ସୃଷ୍ଟି କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ଆନ୍ତଃରାଜ୍ୟ ସୀମା ତଥା ନକଲି ମଦ ପ୍ରସ୍ତୁତିକୁ ବିଚାରକୁ ନେଇ ଭଦ୍ରକର ତିହିଡ଼ି, ବାଲେଶ୍ବରର ବାଲିଆପାଳ, ଢ଼େଙ୍କାନାଳର ଭୂବନ, ଖୋର୍ଦ୍ଧାର ବେଗୁନିଆ ଓ ସୁନ୍ଦରଗଡ଼ର ପାନପୋଷଠାରେ ୫ଟି ନୂତନ ଅବକାରୀ ଥାନା ପ୍ରତିଷ୍ଠା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାବ୍ୟତୀତ ଅବକାରୀ କମିସନ କାର୍ୟ୍ୟାଳୟକୁ ରାଜସ୍ବ ବୋର୍ଡଠାରୁ ପୃଥକ କରି ଅବକାରୀ ନିର୍ଦେଶାଳୟ ରୂପେ କାର୍ୟ୍ୟକାରୀ କରିବାକୁ ସରକାର ଆଭିମୁଖ୍ୟ ରଖିଛନ୍ତି। ଏଥିପାଇଁ ୫ଟି ମୂଳପଦ ସୃଷ୍ଟି କରାଯାଇଛି। ଏହାସହିତ ସ୍ବାଧୀନ ଭାବେ କର୍ମଚାରୀ ଓ କ୍ୟାଡର ସୁପରିଚାଳନା ଲାଗି ମଧ୍ୟ ସରକାର କେତେକ ନୀତିଗତ ନିଷ୍ପତ୍ତି ନେଇଛନ୍ତି।