ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ବିଏସଏଫ ଯବାନ ଗୁରୁତର ଆହତ

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ବିଏସଏଫ ଯବାନ ଗୁରୁତର ଆହତ
ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ବିଏସଏଫ ଯବାନ ଗୁରୁତର ଆହତ

ଦୀର୍ଘ ଦିନର ନିରବତା ପରେ ପୁଣି ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ହୋଇଉଠିଛନ୍ତି। ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଗୋଗାପଦର ନିକଟସ୍ଥ ଜଙ୍ଗଲରେ ଆଜି ସକାଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ବିଏସଏଫ ଯବାନ ଗୁରୁତର ଆହତ ହୋଇଛନ୍ତି। କର୍ତ୍ତନପାଲ୍ଲୀସ୍ଥିତ ୧୬୦ ବାଟାଲିୟନ ବିଏସଏଫ କ୍ୟାମ୍ପର ଯବାନମାନେ ଗତକାଲି କୁମ୍ବିଂ ଅପରେସନରେ ବାହାରି ଆଜି ଫେରୁଥିଲେ।

ମାଓବାଦୀମାନେ ଯବାନଙ୍କୁ ଲକ୍ଷ୍ୟ କରି ତାଙ୍କ ଫେରିବା ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇ ଦେଇଥିଲେ। ସେମାନେ ଫେରିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏଥିରେ ବିଏସଏଫ ଯବାନ ଧର୍ମେନ୍ଦ୍ର ସାହୁ ଗୁରୁତର ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ତାଙ୍କର ବାମ ଗୋଡ଼ର ପାଦ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଡାହାଣ ଗୋଡ଼କୁ ମଧ୍ୟ କ୍ଷତି ପହଞ୍ଚିଛି। ଆହତ ଯବାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଓ ପରେ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଘର ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲ୍ଲାର ରାଞ୍ଚିରାଇ ଥାନା ଅନ୍ତର୍ଗତ ଗଟାପାର ଗ୍ରାମରେ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।