ମାଓ କମାଣ୍ଡର ହିଡ଼ମାକୁ ଧରାଇଦେଲେ ୭ ଲକ୍ଷ ପୁରସ୍କାର

ମାଓ କମାଣ୍ଡର ହିଡ଼ମାକୁ ଧରାଇଦେଲେ ୭ ଲକ୍ଷ ପୁରସ୍କାର
ମାଓ କମାଣ୍ଡର ହିଡ଼ମାକୁ ଧରାଇଦେଲେ ୭ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ: ଛତିଶଗଡ଼ ଡିଭିଜନର କୁଖ୍ୟାତ ମାଓବାଦୀ ନେତା ମାଡଭି ହିଡମାକୁ ଧରାଇଦେଲେ ୭ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଘୋଷଣା କରାଯାଇଛି। ହିଡମା ବର୍ତ୍ତମାନ ପିଏଲଜିଏ (ପିପୁଲସ ଲିବରେସନ ଗରିଲା ଆର୍ମି) ଡିଭିଜନ-୧ର କମାଣ୍ଡରଭାବେ କାର୍ଯ୍ୟ କରୁଛି। ସୂଚନାଯୋଗ୍ୟ ଏପ୍ରିଲ ୩ରେ ଛତିଶଗଡର ବିଜାପୁର ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରେ ହିଡମା ନେତୃତ୍ୱରେ ମାଓବାଦୀମାନେ ୨୨ ଜଣ ଯବାନଙ୍କୁ ହତ୍ୟା କରିଥିବାବେଳେ ଆଉ କେତେକ ଆହତ ହୋଇଥିଲେ। ତେବେ ଏନଆଇଏ ପକ୍ଷରୁ ଘୋଷଣା କରାଯାଇଥିବା ପୁରସ୍କାର ରାଶି ଅନ୍ୟ ଏକ ଘଟଣା ପାଇଁ ଉଦ୍ଦିଷ୍ଟ। ୨୦୧୯ରେ ଛତିଶଗଡ ବିଧାୟକ ଭୀମା ମାଣ୍ଡଭିଙ୍କ ହତ୍ୟାମାମଲାରେ ହିଡମା ସଂପୃକ୍ତ ଥିବା ଅଭିଯୋଗ ହୋଇଥିବାବେଳେ ଏନ୍ଆଇଏ ପକ୍ଷରୁ ତା’ ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଛି। ବିଜାପୁର ଏନକାଉଣ୍ଟର ଘଟଣାପରେ ଏନଆଇ ଡିଆଇଜି ଓ ରାଞ୍ଚି ଏସପି ଛତିଶଗଡ ପରିଦର୍ଶନ କରି ଫେରିବାପରେ ହିଡମା ସମ୍ପର୍କରେ ଏଭଳି ପୁରସ୍କାର ରାଶି ଘୋଷଣା କରାଯାଇଛି। ଆଦିବାସୀ ସଂପ୍ରଦାୟର ୪୦ ବର୍ଷୀୟ ହିଡମା ହେଉଛି ଛତିଶଗଡ ଅନ୍ତର୍ଗତ ସୁକମା ଜିଲା ବାସିନ୍ଦା। ନବେ ଦଶକରେ ସେ ମାଓବାଦୀ ସଂଗଠନରେ ଯୋଗଦେଇଥିଲା। ହିଡମା ନେତୃତ୍ୱରେ ବର୍ତ୍ତମାନ ୨୫୦ ମାଓବାଦୀ କାର୍ଯ୍ୟ କରୁଛନ୍ତି।