ମା’ମାନେ ଆଗେଇଲେ ସମାଜ ଓ ଦେଶ ଆଗେଇବ: ନବୀନ

ମା’ମାନେ ଆଗେଇଲେ ସମାଜ ଓ ଦେଶ ଆଗେଇବ: ନବୀନ

ଆଜି ବିଜେଡିର ପ୍ରତିଷ୍ଠା ଦିବସରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଭିଡିଓ କନ‌ଫରେନ୍ସିଂ ଜରିଆରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେଇ ନବୀନ କହିଥିଲେ, ମା’ମାନେ ଆଗେଇଲେ ସମାଜ ଓ ଦେଶ ଆଗେଇବ। ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ବିଜେଡି ୫୦% ସଂରକ୍ଷଣ କରିଛି। ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ପାଇଁ ବିଜେଡି ଲଢୁଛି।

ନବୀନ କହିଥିଲେ, ନିର୍ବାଚନ ଆସିଲେ ଜାତୀୟ ଦଳଗୁଡ଼ିକ ଇସ୍ତାହାରରେ ପ୍ରତିଶ୍ରୁତି ଦିଅନ୍ତି, ନିର୍ବାଚନ ସରିଗଲେ ସେମାନେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି। କିନ୍ତୁ ଆମେ କଥା ନୁହେଁ, କାମରେ ବିଶ୍ଵାସ କରୁ। ୨୦୧୯ ନିର୍ବାଚନରେ ବିଜେଡି ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲା। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ୩୩% ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା। ଲୋକସଭା, ରାଜ୍ୟସଭା, ବିଧାନସଭା ଅଧିବେଶନରେ ଦାବି ଦୃଢ଼ କରିବୁ। ପ୍ରତି ଅଧିବେଶନରେ ମହିଳାଙ୍କ ସଂରକ୍ଷଣ ବିଜେଡି ସ୍ୱର ଦୃଢ଼ କରିବ। ମହିଳାଙ୍କୁ ସେମାନଙ୍କ ହକ୍‌ ମିଳିବା ଯାଏ ବିଜେଡି ଲଢ଼େଇ ଜାରି ରଖିବ। ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ଥିବା ବିଜୁ ଜନତା ଦଳ ସରକାର ଶନିବାର ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦଳର ନେତା ଓ କର୍ମୀମାନେ ପ୍ରତିଷ୍ଠା ଦିବସରୁ ଜନସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।