ମହାନଦୀରେ ନିର୍ମାଣ ହେବ ଆଉ ଏକ ସେତୁ : ଝାରସୁଗୁଡ଼ାରୁ ବରଗଡ଼କୁ ଯୋଡ଼ିବାର ପ୍ରୟାସ

ମହାନଦୀରେ ନିର୍ମାଣ ହେବ ଆଉ ଏକ ସେତୁ : ଝାରସୁଗୁଡ଼ାରୁ ବରଗଡ଼କୁ ଯୋଡ଼ିବାର ପ୍ରୟାସ
ମହାନଦୀରେ ନିର୍ମାଣ ହେବ ଆଉ ଏକ ସେତୁ : ଝାରସୁଗୁଡ଼ାରୁ ବରଗଡ଼କୁ ଯୋଡ଼ିବାର ପ୍ରୟାସ

ଭୁବନେଶ୍ୱର,  ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହେଇଛି। ଏହି ସେତୁ ତିଆରି ହେଲେ ସିଧାସଳଖ ଜାତୀୟ ରାଜପଥରେ ଝାରସୁଗୁଡ଼ା ସହ ବରଗଡ଼ ଜିଲ୍ଲା ଯୋଡ଼ି ହେବ। ଏହି ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦଶନ୍ଧି ଧରି ଉଭୟ ଜିଲ୍ଲାବାସୀ କରି ଆସୁଥିବା ଦାବି ଏବେ ପୁରଣ ହେବାର ଆଶା ଉଜ୍ଜ୍ୱୀବିତ ହୋଇଛି। ଏହି ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ତ୍ତ ବିଭାଗ ସମ୍ବଲପୁର ଡିଭିଜନର ଏସସି ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ଝାରସୁଗୁଡ଼ାର ଏକଜିକ୍ୟୁଟିଭ ଇଂଜିନିୟର ପ୍ରଦୀପ୍ତ କୁମାର ନାଥ, ଆରଡି ବିଭାଗର ଏକଜିକ୍ୟୁଟିଭ ଇଂଜିନିୟର ମନୋରଞ୍ଜନ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଦୋବାନନ୍ଦ ମହନ୍ତ, ଦୋଳ ଗୋବିନ୍ଦ ଭୋଇ ପ୍ରମୁଖ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିଖମପାଲି ପଞ୍ଚାୟତ ପଦମପୁର ଘାଟକୁ ପରିଦର୍ଶନ କରି ସେଠାରେ କିପରି ଭାବରେ ବ୍ରିଜ ନିର୍ମାଣ କରାଯାଇ ପାରିବ ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହେପରି ଭିଖମପାଲିରୁ ଡଙ୍ଗା ଯୋଗେ ବରଗଡ଼ର ଜରିମୁଲି ଘାଟକୁ ଯାଇ ସେଠାକାର ସ୍ଥିତି ମଧ୍ୟ ପରଖିଛନ୍ତି। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ବୁଲୁ ସେନାପତି, ରଘୁ ପଣ୍ଡା, ତପନକାନ୍ତ ଜେନା ପ୍ରମୁଖଙ୍କ ସହ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲା ପଦ୍ମପୁର ଘାଟରୁ ବରଗଡ଼ ଜିଲ୍ଲାର ଜରିମୁଲି ଘାଟକୁ ସିଧାସଳଖ ଭାବରେ ଏକ ବ୍ରିଜ ଯୋଡ଼ି ହେଲେ ଉଭୟ ଜିଲ୍ଲାବାସୀ ଉପକୃତ ହୋଇପାରିବେ। ଏବେ ଏହି ବ୍ରିଜ ନଥିବାରୁ ଝାରସୁଗୁଡ଼ାରୁ ବରଗଡ଼ ଅବା ବରଗଡ଼ରୁ ଝାରସୁଗୁଡ଼ା ଆସିବାକୁ ହେଲେ ଲୋକଙ୍କୁ ସମ୍ବଲପୁର ଅଥବା ଛତିଶଗଡ଼ ଦେଇ ଅଧିକା ୧୦୦ କିମି ଯାତାୟତ କରିବା ପାଇଁ ପଡୁଛି। ଝାରସୁଗୁଡ଼ା ଜିଲ୍ଲାରେ ପଶ୍ଚିମ ଓଡ଼ିଶାର ସର୍ବବୃହତ ରେଳ ସଂଯୋଗ ଓ ରାଜ୍ୟର ଦ୍ୱିତୀୟ ଏୟାରପୋର୍ଟ ରହିଛି। ଫଳରେ ବରଗଡ଼ ସହ ବଲାଙ୍ଗିର, ସୋନପୁର ଜିଲ୍ଲାବାସୀ ମଧ୍ୟ ଝାରସୁଗୁଡ଼ାକୁ ବହୁ ସମୟରେ ଯାତାୟତ କରୁଛନ୍ତି। ଏହି ବ୍ରିଜ ନିର୍ମାଣ ଦ୍ୱାରା ସେମାନେ ମଧ୍ୟ ବହୁଳ ବାବରେ ଉପକୃତ ହୋଇପାରିବେ।