ଯାତ୍ରୀବାହୀ ଯାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ବାଧ୍ୟତାମୂଳକ

ଯାତ୍ରୀବାହୀ ଯାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ବାଧ୍ୟତାମୂଳକ
ଯାତ୍ରୀବାହୀ ଯାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ସଡ଼କ ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଏନେଇ ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଭିଟିଏସ୍ ବ୍ୟବସ୍ଥା । ଅଟୋ ଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଯାନବାହାନରେ ଏହି ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ହେବ ବାଧ୍ୟତାମୂଳକ। ଯାହାଦ୍ୱାରା ଏହିସବୁ ଯାନବାହନର ସ୍ଥିତି ସହ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ସମସ୍ତ ତଥ୍ୟ ମିଳିବ। ପୂର୍ବରୁ ଦେଶରେ କେରଳ ଓ ଉତ୍ତରାଖଣ୍ଡରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଏବେ ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛିି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବ୍ଲୁପ୍ରିଣ୍ଟସ୍। ତେବେ ଆସନ୍ତା ଡିସେମ୍ବର ୧୫ସୁଦ୍ଧା ରାଜ୍ୟରେ ଲାଗୁ ହେବ ଭିଟିଏସ୍ ବ୍ୟବସ୍ଥା । ଯାତ୍ରୀ ପରିବହନ କରୁଥିବା ଗାଡ଼ିରେ ଲାଗିବ ଅଟୋମେଟିଭ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍-୧୪୦) ମାନଦଣ୍ଡର ସିଷ୍ଟମ୍।

ଏଥିପାଇଁ ମୋଟ୍ ୧୫କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏକ ପ୍ରମୁଖ ଆଇଟି କମ୍ପାନୀ ସହିତ ଆଲୋଚନା ହୋଇଥିବା ବେଳେ ସିଷ୍ଟମକୁ ଗାଡି ମାଲିକଙ୍କୁ କିଣିବାକୁ ପଡିବ । ସିମ୍ ଯୁକ୍ତ ମେସିନ୍ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ସେଣ୍ଟ୍ରାଲ ସର୍ଭର କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ସହ ସିଷ୍ଟମ୍ ଯୋଗାଉଥିବା କମ୍ପାନୀ ସହ ପରିବହନ ବିଭାଗର ବାହାନ ଆପ୍ଲିକେସନ୍ ସହିତ ସଂଯୋଗ କରାଯିବ । ମହିଳା ଯାତ୍ରୀଙ୍କ ସିଟ୍ ନିକଟରେ ଜରୁରୀ ବଟନ ବ୍ୟବସ୍ଥା ରହିବ । ଫଳରେ ସମସ୍ତ ଗାଡିର ଅବସ୍ଥିତି ଓ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କିତ ବିସ୍ତୃତ ତଥ୍ୟ କଣ୍ଟ୍ରୋଲ ରୁମରେ ରହିବ । ଏହି ବ୍ୟବସ୍ଥା ଦ୍ୱାରା ଘାଟିରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଅଗ୍ନିଶମ ଓ ପୁଲିସର ସହାୟତା ଉପଲବ୍ଧ ହୋଇପାରିବ । ଏଣୁ ଉଭୟ ଅଟୋ ଓ ବସ୍ ମାଲିକ ସରକାରଙ୍କ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି । ତେବେ ସମ ଦୂରତାରେ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଗଲେ ଏହି ବ୍ୟବସ୍ଥା ସଫଳ ରୁପାୟନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଭିଟିଏସ୍ କାର୍ଯ୍ୟକାରୀ କରିଥିବା ଦୁଇ ରାଜ୍ୟ କେରଳ ଓ ଉତ୍ତରାଖଣ୍ଡକୁ ରାଜ୍ୟ ସରକାରଙ୍କ ଏକ ଟେକ୍ନିକାଲ ଟିମ୍ ଫେବୃଆରୀରେ ଯିବେ । ଜୁନରେ ଟେଣ୍ଡର ଓ ନଭେମ୍ବର ସୁଦ୍ଧା ଟେଷ୍ଟିଂ ସାରି ଡିସେମ୍ବର ୧୫ରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି।