ରାଜ୍ୟରେ ପୁଲିସ ସଂସ୍କାର ସଂପର୍କରେ ସୁପ୍ରିମ୍‌କୋର୍ଟଙ୍କୁ ବାରମ୍ବାର ମିଛ କହିଛନ୍ତି ସରକାର – କଂଗ୍ରେସ

ରାଜ୍ୟରେ ପୁଲିସ ସଂସ୍କାର ସଂପର୍କରେ ସୁପ୍ରିମ୍‌କୋର୍ଟଙ୍କୁ ବାରମ୍ବାର ମିଛ କହିଛନ୍ତି ସରକାର – କଂଗ୍ରେସ
ରାଜ୍ୟରେ ପୁଲିସ ସଂସ୍କାର ସଂପର୍କରେ ସୁପ୍ରିମ୍‌କୋର୍ଟଙ୍କୁ ବାରମ୍ବାର ମିଛ କହିଛନ୍ତି ସରକାର – କଂଗ୍ରେସ

ଭୁବନେଶ୍ୱର,  ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟରେ ଦଣ୍ଡ ହାର ଜାତୀୟ ଦଣ୍ଡହାର ଠାରୁ ସର୍ବନିମ୍ନ। ଲକଡାଉନ୍ ସମୟରେ ନାରୀ ନିର୍ଯାତନା ଶୀର୍ଷରେ। ନିଖୋଜ ଶିଶୁଙ୍କୁ ଖୋଜିବାରେ ରାଜ୍ୟ ପୁଲିସର ସଫଳତା ହାର ମାତ୍ର ୨୭ ପ୍ରତିଶତ, ଯାହା ଜାତୀୟ ସ୍ତର ଠାରୁ ସର୍ବନିମ୍ନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ ସଂସ୍କାର ସମ୍ପର୍କରେ ରାଜ୍ୟ ସରକାର ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କୁ ବାରମ୍ବାର ମିଥ୍ୟା ସତ୍ୟପାଠ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ସୁପ୍ରିମ୍‌କୋର୍ଟଙ୍କୁ ମିଛ କହିନାହାନ୍ତି, ରାଜ୍ୟର ସାଢ଼େ ୪ କୋଟି ଜନତାଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ତଥ୍ୟ ପ୍ରମାଣ ସହ ସିଧାସଳଖ ରାଜ୍ୟ ସରକାରଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ଟାର୍ଗେଟ୍ କରିଛନ୍ତି।

ଦେଶରେ ପୁଲିସକୁ ଚାପମୁକ୍ତ କରିବା ନେଇ ଉତ୍ତରପ୍ରଦେଶ ଏବଂ ଆସାମର ତତ୍କାଳୀନ ପୁଲିସ ଡିଜି ପ୍ରକାଶ ସିଂହ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମାଧ୍ୟମରେ ଅବଗତ କରିଥିଲେ। ଏବଂ ଗତ ୨୦୦୬ ମସିହା ସେପ୍ଟେମ୍ବର ୨୨ ତାରିଖରେ ମାନ୍ୟବର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ଓଡିଶା ସରକାରଙ୍କୁ ମଧ୍ୟ ପୁଲିସ ସଂସ୍କାର ପାଇଁ ଏକ ମାର୍ଗଦର୍ଶିକା ଜାରି କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟାନ୍ୟ ନିର୍ଦ୍ଦେଶଗୁଡିକ ମଧ୍ୟରେ ପୁଲିସ ବିଭାଗର ତଦନ୍ତ ଏବଂ ଆଇନ‌ଶୃଙ୍ଖଳାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ପୁଲିସକୁ ଚାପମୁକ୍ତ କରିବା ଉଦ୍ଦେଶ୍ୟରେ ତଦନ୍ତ ଏବଂ ଆଇନଶୃଙ୍ଖଳାକୁ ପୃଥକ୍ ପୃଥକ କରିବା ପାଇଁ କହିଥିଲେ। ଏହାର ଜବାବରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତା ୧୧.୪.୨୦୦୭, ତା ୨୫.୧.୨୦୦୮ ଏବଂ ତା ୧.୪.୨୦୧୩ ରିଖରେ ତିନି ତିନି ଥର ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ରାଜ୍ୟର ପ୍ରମୁଖ ଦୁଇଟି ସହର ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସରେ ଆଇନ‌ଶୃଙ୍ଖଳା ଏବଂ ତଦନ୍ତ ସଂସ୍ଥାକୁ ପୃଥକ୍ ପୃଥକ୍ କରି ଦିଆଯାଇଛି ବୋଲି ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ।

କିନ୍ତୁ ସୂଚନା ଅଧିକାର ଆଧାରରେ ଆସିଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାର ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସର କୌଣସି ବି ଗୋଟିଏ ଥାନାରେ ଆଇନ‌ଶୃଙ୍ଖଳା ଏବଂ ତଦନ୍ତକୁ ପୃଥକ୍ ପୃଥକ୍ କରାଯାଇନାହିିଁ। ଏଥିରେ ଗୋଟିଏ କଥା ସ୍ପଷ୍ଟ ଯେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ବାରମ୍ବାର ମିଛ କହିବା ସହିତ ରାଜ୍ୟର ସାଢ଼େ ୪ କୋଟି ଜନତାଙ୍କୁ ମଧ୍ୟ ଅନ୍ଧାରକୁ ଠେଲି ଦେଇଛନ୍ତି। ତେଣୁ ଗୃହ ବିଭାଗର ମୁଖ୍ୟ ହିସାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁପ୍ରିମ‌କୋର୍ଟରେ ଦେଇଥିବା ମିଥ୍ୟା ସତ୍ୟପାଠ ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ପ୍ରଦେଶ କଂଗ୍ରେସର ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଅମୀୟ ପାଣ୍ଡବ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।