ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ

ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ
ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ

ଝାରସୁଗୁଡ଼ା ଜିଲ୍ଲା ଇବ୍ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବତୀର ମୃତଦେହ ରେଳବାଇ ପୁଲିସ ଉଦ୍ଧାର କରିଛି। ଯୁବତୀ ଜଣକ ବ୍ରଜରାଜନଗର ଲମଟିବାହାଲର ସୁରେଶ ଯୋଶୀଙ୍କ ଝିଅ ମୋନିକା ଯୋଶୀ ବୋଲି ଜିଆରପି ଆଇଆଇସି ସୌଦାମିନୀ ନେଗୀ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ବ୍ରଜରାଜନଗର ଇବ୍ ରେଳ ଷ୍ଟେସନ ନିକଟରେ ରେଳଧାରଣା କିଲୋମିଟର ୫୧୮/୧୯-୨୧ଠାରେ ଏକ ଯୁବତୀର ମୃତଦେହ ପଡ଼ିଥିବା ସାଉଥ ବିହାର ଏକ୍ସପ୍ରେସର ଡ୍ରାଇଭର ବ୍ରଜରାଜନଗର ରେଳ ଷ୍ଟେସନରେ ଜଣାଇଥିଲେ। ଏନେଇ ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଯୁବତୀଙ୍କ ପରିବାରବର୍ଗଙ୍କୁ ଖବର ଦେବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ଝିଅର ଅପମୃତ୍ୟୁ ହୋଇ ନାହିଁ ତା’ସହ କିଛି ଦୁର୍ବୁତ୍ତ ଖରାପ କାମ କରି ହତ୍ୟା କରିଥିବା ମୋନିକାଙ୍କ ବାପା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଝିଅ ବୁଧବାର ସକାଳେ ଏକ ଘରୋଇ କମ୍ପ୍ୟୁଟର ସେଣ୍ଟରକୁ କମ୍ପ୍ୟୁଟର କ୍ଲାସ ପାଇଁ ଯାଇଥିଲା। ହେଲେ ସେଠାରୁ ଘରକୁ ଫେରିନଥିଲା। ବହୁ ଖୋଜାଖୋଜି ପରେ ସେମାନେ ରାତିରେ ବ୍ରଜରାଜନଗର ଥାନାରେ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲେ। ହେଲେ ଝିଅର ମୃତଦେହ ରେଳ ଧାରଣା ନିକଟରୁ ଉଦ୍ଧାର ହୋଇଥିବା ଆଜି ସକାଳେ ତାଙ୍କ ପାଖକୁ ଖବର ପହଞ୍ଚିଛି। ତାଙ୍କ ଝିଅର କାହା ସହ କିଛି ଶତ୍ରୁତା ନଥିଲା। ଝିଅ ଅତ୍ୟନ୍ତ ସରଳ ସ୍ୱଭାବର ଥିଲା। ସେ ପ୍ରତିଦିନ ଘରୁ କଲେଜ ଓ କମ୍ପ୍ୟୁଟର କ୍ଲାସ ଯାଇ ସିଧାସଳଖ ଘରକୁ ଫେରୁଥିଲା ହେଲେ ହଠାତ ଆଜି କମ୍ପ୍ୟୁଟର କ୍ଲାସ ଯାଇ ନିଖୋଜ ହେବା ପରେ ତା’ର ମୃତଦେହ ରେଳ ଧାରଣାରୁ ମିଳିଥିବାରୁ ଝିଅ ମୋନିକା ସହ ଖରାପ କାମ କରିବା ପରେ ଦୁର୍ବୁତ୍ତମାନେ ହତ୍ୟା କରି ତାଙ୍କୁ ରେଳ ଧାରଣାରେ ଫିଙ୍ଗି ଦେଇଥିବେ ବୋଲି ବାପା ସୁରେଶ ଅଭିଯୋଗ ଆଣିଛନ୍ତି । ତେଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ତାଙ୍କ ଝିଅକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସୁରେଶ କହିଛନ୍ତି।

ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଯୁବତୀଙ୍କର ମୃତ୍ୟୁ କିପରି ହୋଇଛି ତାହା ଜଣାପଡ଼ିବ ବୋଲି ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି। ଏହାସହ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୋନିକାଙ୍କ ମୃତ୍ୟୁ କେଉଁ ସମୟରେ ହେଲା, ସେ କୌଣସି ଟ୍ରେନରୁ ଖସି ପ୍ରାଣ ହରାଇଛନ୍ତି ନା କୌଣସି ଟ୍ରେନ ତାଙ୍କୁ ଧକ୍କା ଦେଇଛି ଅବା ଦୁର୍ବୁତ୍ତମାନେ ତାଙ୍କୁ ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇଛନ୍ତି ଏହା ଏବେ ତଦନ୍ତ ପରିସରରେ ରହିଛି।