ଶ୍ରୀରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ଧର୍ମେନ୍ଦ୍ର

ଶ୍ରୀରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ଧର୍ମେନ୍ଦ୍ର
ଶ୍ରୀରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ଭକ୍ତ ମାନଙ୍କର ସହଯୋଗ ପ୍ରାପ୍ତି ନିମନ୍ତେ ଓଡ଼ିଶା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ମକର ସଂକ୍ରାନ୍ତିରୁ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସାମିଲ ହୋଇ ଶୁଭକାର୍ଯ୍ୟ ଲାଗି ଅର୍ଥ ଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିବା ସହ ଟ୍ୱିଟ୍ କରି ସମସ୍ତ ଓଡ଼ିଶାବାସୀଙ୍କୁ ଏଥିରେ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭାରତବର୍ଷରେ ବିଭିନ୍ନ ସମିତି ପକ୍ଷରୁ    ଆର୍ଥିକ  ସହଯୋଗ ପ୍ରାପ୍ତି ନିମନ୍ତେ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ରାଜ୍ୟରେ ମଧ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଏହି ଅଭିଯାନର ନେତୃତ୍ୱ ନେଇଛି। ଓଡ଼ିଶାରେ ୩୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ସମସ୍ତେ ସହଭାଗୀ ହେବା ଦରକାର।
ସେହିଭଳି ଆଜି ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡିଶାର ଅଧ୍ୟକ୍ଷ ପ୍ରଫେସର ଡଃ.ପ୍ରଫୁଲ ମିଶ୍ର, ଉପାଧ୍ୟକ୍ଷ ମନସୁଖଲାଲ ସେଠିଆ, ସମ୍ପାଦକ ଗୋପାଳ ପ୍ରସାଦ ମହାପାତ୍ର ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ଭୁବନେଶ୍ୱରର ସହିଦନଗର ସ୍ଥିତ ଗଜପତିଙ୍କ ବାସଭବନ ଦିବ୍ୟଧାମରେ ପହଞ୍ଚିଥିଲେ। ଗଜପତି ମହାରାଜ ଓ ମହାରାଣୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଜର ସହଯୋଗ ନିଧି ପୁଷ୍ପାର୍ପଣ ସହିତ ସମର୍ପଣ କରିଥିଲେ। ସମିତି ତରଫରୁ ଗଜପତି ମହାରାଜଙ୍କ ପରିବାରକୁ ନିଧି ସମର୍ପଣର ରସଦି, ଶ୍ରୀରାମ ମନ୍ଦିରର ଫଟୋ ଓ ଶ୍ରୀରାମ ମନ୍ଦିର ସଂପର୍କିତ ପରିକଳ୍ପନା ତଥ୍ୟାବଳୀ ପ୍ରଦାନ କରାଯାଇଛି। ଶ୍ରୀରାମ ମନ୍ଦିର ନିର୍ମାଣ କାମ ଅତିଶୀଘ୍ର ଆରମ୍ଭ ହେଉ ଓ ଅତିଶୀଘ୍ର ଶେଷ ହେଉ। ସମସ୍ତେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଜର ସହଯୋଗର ହାତ ବଢାନ୍ତୁ ବୋଲି ଗଜପତି ମହାରାଜ କହିଛନ୍ତି।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ନିଧି ପ୍ରଦାନ କରି ଖୁସିବ୍ୟକ୍ତ କରିଛନ୍ତି। ଏହାବାଦ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସମ୍ବାଦର ସଂପାଦକ ସୌମ୍ୟରଞ୍ଚନ ପଟ୍ଟନାୟକ ପ୍ରମୁଖ ଆଜି ସମିତିକୁ ନିଧି ସର୍ମପଣ କରିଛନ୍ତି। ସୂଚନା ଯୋଗ୍ୟ ଯେ,ଏହି ଅଭିଯାନ ୧୪ ଜାନୁୟାରୀରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଏହି ପବିତ୍ର କାର୍ଯ୍ୟରେ ଯଥାଶକ୍ତି ଯୋଗଦାନ କରି ପୁଣ୍ୟକାର୍ଯ୍ୟରେ ସହଭାଗୀ ହୁଅନ୍ତୁ ବୋଲି ସମିତିର ସମ୍ପାଦକ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।