ଶିଶୁ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ; ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ସହ ୩୦ଟି ଜିଲ୍ଲାରେ ଶିଶୁମାନଙ୍କ ନିମନ୍ତେ ଅସ୍ଥାୟୀ ବାସସ୍ଥଳିର ବ୍ୟବସ୍ଥା

ଶିଶୁ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ; ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ସହ ୩୦ଟି ଜିଲ୍ଲାରେ ଶିଶୁମାନଙ୍କ ନିମନ୍ତେ ଅସ୍ଥାୟୀ ବାସସ୍ଥଳିର ବ୍ୟବସ୍ଥା
ଶିଶୁ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ; ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ସହ ୩୦ଟି ଜିଲ୍ଲାରେ ଶିଶୁମାନଙ୍କ ନିମନ୍ତେ ଅସ୍ଥାୟୀ ବାସସ୍ଥଳିର ବ୍ୟବସ୍ଥା

ସଂପ୍ରତି କୋଭିଡ୍‌-୧୯ର ଦ୍ୱିତୀୟ ଲହରରେ ଅନେକ ପରିବାରରେ ମାତାପିତାଙ୍କ କୋଭିଡ଼ରେ ମୃତ୍ୟୁ ହେବା କିମ୍ବା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ସେମାନଙ୍କ ପିଲାମାନେ ଅନାଥ ଏବଂ ଅସହାୟ ହୋଇଯାଉଛନ୍ତି। କୋଭିଡ଼ ଆକ୍ରାନ୍ତ ପରିବାରର ଏହି ଶିଶୁମାନଙ୍କୁ ରଖିବା ପାଇଁ ମଧ୍ୟ କେହି ଆତ୍ମୀୟସ୍ୱଜନ, ନିକଟ ସଂପର୍କୀୟ ଆଗେଇ ଆସୁନାହାନ୍ତି। ଏହି ପରିସ୍ଥିତିରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ୧୦୯୮ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସହାୟତା ନମ୍ବର ୧୮୦୦-୩୪୫-୪୪୯୪ ସହ ରାଜ୍ୟ ହେଲ୍ପଲାଇନ୍‌ ୧୦୪ ଜାରି କରାଯାଇଛି। ୧୮ ବର୍ଷରୁ କମ୍‌ ବୟସର ଅସହାୟ ଓ ବିପଦସଂକୁଳ ଅବସ୍ଥାରେ ଥିବା କୌଣସି ଶିଶୁ, ମାତାପିତା ବିହୀନ ଶିଶୁ କିମ୍ବା କରୋନା ସଂକ୍ରମିତ ହୋଇ ସଂଗରୋଧରେ ଥିବା ପିତାମାତାଙ୍କ ଶିଶୁ କାହାର ନଜରକୁ ଆସିଲେ ତୁରନ୍ତ ଉପରୋକ୍ତ ହେଲ୍ପଲାଇନରେ କିମ୍ବା ନିକଟସ୍ଥ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିପାଇଁ ପ୍ରତି ଜିଲ୍ଲାରେ ସରପଞ୍ଚମାନଙ୍କୁ ନେଇ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଗଠନ କରାଯାଇଛି। ଏହି ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ନିମନ୍ତେ ନାଗରିକ ସଂଗଠନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମଧ୍ୟ ସହାୟତା ନିଆଯାଉଛି।

ଅସୁବିଧାରେ ଥିବା ପ୍ରତ୍ୟେକ ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ସାମୟିକ ଭାବେ ସୁରକ୍ଷିତ କରି ରଖିବା ନିମନ୍ତେ ୩୦ଟି ଜିଲ୍ଲାରେ ୩୦ଟି ଅସ୍ଥାୟୀ ବାସସ୍ଥଳିର ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି ଏବଂ ଭର୍ଚୁଆଲ ବୈଠକ ମାଧ୍ୟମରେ ନିୟମିତ ସମୀକ୍ଷା କରାଯାଉଛି। ଏହି ଅସହାୟ ଶିଶୁମାନଙ୍କୁ ମାନସିକ ସ୍ତରରେ ଦୃଢ଼ ରଖିବା ନିମନ୍ତେ ନିୟମିତ ମନସ୍ତାତ୍ତ୍ୱିକ ପରାମର୍ଶ ଦିଆଯାଉଛି। ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କୋଭିଡ ପ୍ରଭାବିତ ୪ ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇ ଆର୍ଥିକ ସହାୟତା ପ୍ରଦାନ ସହ ସାମୟିକ ଭାବେ ରଖାଯାଇଛି। ବିଭାଗୀୟ ଯୁଗ୍ମ ସଚିବ, ଶିଶୁ କଲ୍ୟାଣଙ୍କୁ ରାଜ୍ୟ ନୋଡାଲ ଅଧିକାରୀ ଭାବେ ଘୋଷଣା କରାଯାଇଛି।

ସେହିଭଳି ରାଜ୍ୟରେ ଥିବା ୨୩୮ଟି ଶିଶୁ ଯତ୍ନ ଅନୁଷ୍ଠାନରେ ୮୫୦୦ ଶିଶୁ ରହୁଛନ୍ତି ଏବଂ ସେମାନଙ୍କ ଯତ୍ନ ନେବା ପାଇଁ ୨୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇ ଏହି ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ କୋଭିଡ ସଂପର୍କିତ ସମସ୍ତ ସତର୍କତା ଏବଂ ନିୟମାବଳୀ ପାଳନ ନିମନ୍ତେ ପଦକ୍ଷେପ ନିଆଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କୁ କୋଭିଡ ସଂକ୍ରମଣ ଓ ପରିଚାଳନା ନିମନ୍ତେ ନିୟମିତ ଭର୍ଚୁଆଲ ତାଲିମ ପ୍ରଦାନ କରାଯାଉଛି।
ଶିଶୁମାନଙ୍କୁ କରୋନା ସମୟରେ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ନିମନ୍ତେ କରୋନା ପଞ୍ଜିକା ଦିଆଯାଇଛି। ଏହି କଠିନ ସ୍ଥିତିରେ ଅନୁଷ୍ଠାନ ପରିଚାଳନାରେ ଯେଭଳି କୌଣସି ଆର୍ଥିକ ବାଧା ନ’ ଆସିବ, ସେଥିପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି। ପ୍ରତ୍ୟେକ ଯତ୍ନ ଅନୁଷ୍ଠାନକୁ ଥର୍ମାଲ ସ୍କାନର, ଅକ୍ସିମିଟର, ମାସ୍କ ଏବଂ ସାନିଟାଇଜର ପ୍ରଦାନ କରାଯାଇଛି। ପ୍ରତ୍ୟେକ ଶିଶୁ ଯତ୍ନ ଅନୁଷ୍ଠାନରେ ସଙ୍ଗରୋଧ ଗୃହ ବ୍ୟବସ୍ଥା କରାଯିବା ସହ ନିୟମିତ ଭାବେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍‌ଡ ଲାଇନ ଟିମର ସଦସ୍ୟ, ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀ, ୧୮୧ ହେଲ୍ପଲାଇନ କର୍ମଚାରୀ ଏବଂ ୱାନ୍‌ ଷ୍ଟପ୍‌ ସେଣ୍ଟରର କର୍ମଚାରୀମାନଙ୍କୁ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରାଯିବା ସହ ସେମାନଙ୍କର ଅଗ୍ରାଧିକାର ଭିତ୍ତିରେ କୋଭିଡ୍‌ ଟିକାକରଣ କରାଯାଉଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶିଶୁମାନଙ୍କ ସୁରକ୍ଷା ଏବଂ ଥଇଥାନ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ଅଧିକାରୀମାନଙ୍କୁ ଭର୍ଚୁଆଲ ବୈଠକ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି।