ସାମ୍ବାଦିକଙ୍କୁ ଟିକା ପ୍ରଦାନରେ ଅବ୍ୟବସ୍ଥା କରୁଛି ଜିଲ୍ଲା ପ୍ରଶାସନ

ସାମ୍ବାଦିକଙ୍କୁ ଟିକା ପ୍ରଦାନରେ ଅବ୍ୟବସ୍ଥା କରୁଛି ଜିଲ୍ଲା ପ୍ରଶାସନ
ସାମ୍ବାଦିକଙ୍କୁ ଟିକା ପ୍ରଦାନରେ ଅବ୍ୟବସ୍ଥା କରୁଛି ଜିଲ୍ଲା ପ୍ରଶାସନ

ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ସେମାନଙ୍କୁ ସ୍ୱତନ୍ତ୍ର ଭାବରେ କୋଭିଡ ଟିକା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏହି ନିର୍ଦ୍ଦେଶନାମାକୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରିବା ସହ ଏପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ଟିକା ପ୍ରଦାନ କରିନାହିଁ। ମାତ୍ର କିଛି ସାମ୍ବାଦିକଙ୍କୁ ଗତକାଲି ଟିକା ପ୍ରଦାନ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ମୁଖ୍ୟସ୍ରୋତର ଗଣମାଧ୍ୟମ ପ୍ରତିନିଧୀଙ୍କୁ ଟିକା ଦିଆଯାଇନାହିଁ କି କେବେ ଦିଆଯିବ ସେବିଷୟରେ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ। ଜିଲ୍ଲା ପ୍ରଶାସନର ଏପରି ନିଷ୍କ୍ରିୟତା ତଥା ଟିକାକରଣକୁ ନେଇ ଥିବା ଖାମଖିଆଲି ମନୋଭାବକୁ ଝାରସୁଗୁଡ଼ା ଜିଲ୍ଲା ପ୍ରେସ କ୍ଲବର ସଦସ୍ୟମାନେ ନିନ୍ଦା କରିବା ସହ ଶୀଘ୍ର ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟିକା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସାମ୍ବାଦିକମାନେ କରୋନାର ଭୟାବହତା ସତ୍ୱେ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଇଁ ଖବର ସଂଗ୍ରହ କରୁଛନ୍ତି। ଫଳରେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କରୋନାର ଶିକାର ହେବା ଅଧିକ ଆଶଙ୍କା ରହିଛି। ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସାମ୍ବାଦିକଙ୍କୁ ଟିକା ପ୍ରଦାନ କରିବା ଲାଗି ତତ୍ପରତା ପ୍ରକାଶ ପାଉନାହିଁ। ଏସମ୍ପର୍କରେ ଅଭିଯୋଗ କରିବା ଲାଗି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଗଲେ ମଧ୍ୟ ଯୋଗାଯୋଗ ହୋଇପାରୁ ନାହିଁ। ତେଣୁ ଜିଲ୍ଲାପାଳ ନିଜେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ କିପରି ଶୀଘ୍ର ଟିକାକରଣ କରାଯାଇପାରିବ ସେଥିପ୍ରତି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଝାରସୁଗୁଡ଼ା ପ୍ରେସ କ୍ଲବର ସଦସ୍ୟମାନେ ଦାବି କରିଛନ୍ତି।