ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ସ୍ମରଣୀୟ ଦିନ : ନବ ଦାସ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ସ୍ମରଣୀୟ ଦିନ : ନବ ଦାସ
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ସ୍ମରଣୀୟ ଦିନ : ନବ ଦାସ

ଝାରସୁଗୁଡ଼ା ଜିଲ୍ଲାରେ ଆଜି କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭିଡିଓ କନଫରେନ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଜିଲ୍ଲାରେ ଟିକାରକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଆଜି ପ୍ରଥମ ଦିନରେ ଝାରସୁଗୁଡା ସଦର ହସ୍ପିଟାଲ, ପଞ୍ଚପଡ଼ା ପ୍ରାଥମିକ ଚିକିତ୍ସାଳୟ, ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବେଲପାହାଡ଼ ଟିଆରଏଲ ହସ୍ପିଟାଲରେ ୪୦୦ ଜଣ କୋଭିଡ ଯୋଦ୍ଧାଙ୍କୁ ଟିକାକରଣ କରାଯିବ। ଝାରସୁଗୁଡ଼ା ସଦର ଡାକ୍ତରଖାନାରେ ପ୍ରଥମେ ଶିଶୁ ବିଭାଗର ଡାକ୍ତର ମହେଶ ମୋହନ ପଣ୍ଡା, ବେଲପାହାଡ଼ ଟିଆରଏଲ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଆଦିତ୍ୟ କୁମୁରା ପ୍ରଥମେ ଟିକା ନେଇ ଟିକାକରଣକୁ ଶୁଭାରମ୍ଭ କରିଥିଲେ।

ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ କୋଭିଡ ଟିକା ତିଆରି କରିବାରେ ସହାଯ୍ୟ କରିଥିବା ଦେଶର ସମସ୍ତ ବୈଜ୍ଞାନିକ, ଟିକାକରଣକୁ ସଫଳ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଛନ୍ତି ଯେ, ‘ସ୍ୱାସ୍ଥ୍ୟ ସେବା ପାଇଁ ଆଜି ଏକ ସ୍ମରଣୀୟ ଦିନ। ଆମ ରାଜ୍ୟରେ ଏହି ଟିକାକରଣ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନିର୍ଦ୍ଦେଶନା ଏବଂ ସୁସଂଯୋଜିତ ମାର୍ଗଦର୍ଶନ ଯୋଗୁ ସଫଳ ହୋଇପାରିଛି। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୨ଲକ୍ଷ ସାସ୍ଥ୍ୟ କର୍ମଚାରୀଙ୍କୁ ଟିକାକରଣ ନିମନ୍ତେ ଆବଶ୍ୟକୀୟ ୪ଲକ୍ଷରୁ ଉର୍ଦ୍ଧ ‘କୋଭିସିଲ୍ଡ’ ଏବଂ ୨୦ ହଜାରରୁ ଉର୍ଦ୍ଧ ‘କୋଭାକ୍ସିନ’ ଟିକା ନିର୍ଦ୍ଧାରିତ ସ୍ଥାନମାନଙ୍କରେ ପହଞ୍ଚିସାରିଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମଚାରୀ, ଡାକ୍ତର, ଡାକ୍ତରଖାନାର ସମସ୍ତ କର୍ମଚାରୀ ଏବଂ ସଫେଇ କର୍ମଚାରୀଙ୍କୁ ଅର୍ନ୍ତଭୁକ୍ତ କରାଯାଇଛି।