୭୨ କୋଟିର ରେଲୱେ ଓଭର ବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୭୨ କୋଟିର ରେଲୱେ ଓଭର ବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
୭୨ କୋଟିର ରେଲୱେ ଓଭର ବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ଟିଟିଲାଗଡ଼ବାସୀଙ୍କ ଦୀର୍ଘ ୫୦ ବର୍ଷର ସ୍ୱପ୍ନ ଆଜି ବାସ୍ତବିକ ରୂପ ନେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ସଫରେସିଂ ଜରିଆରେ ବୃହତ ରେଲୱେ ଓଭର ବ୍ରିଜର ଉଦଘାଟନ କରିଛନ୍ତି। ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଟିଟିଲାଗଡ଼ ବାସୀଙ୍କ ସ୍ୱପ୍ନ ଏକ ସାକାର ହୋଇଥିବା କୁହାଯାଉଛି। ଟିଟିଲାଗଡ଼ ପୁଲିସ ଷ୍ଟେସନ ଛକରେ ଉଦଘାଟନୀ ଉତ୍ସବକୁ ସଫଳ କରିବା ପାଇଁ ସାଜସଜ୍ଜା ହୋଇଥିଲା। ଅପରାହ୍ନ ସନ୍ଧ୍ୟା ୫ଟା ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଷ୍ଟିଲ ୍ଏବଂ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଟିଟିଲାଗଡ଼ ବିଧାୟିକା ତଥା ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ସଂସାଦ ସଂଗିତା କୁମାର ସିଂଦେଓ ପ୍ରମୁଖ ଉପସ୍ଥିତ ଥିବାବେଳେ ବଲାଙ୍ଗିର ଜିଲ୍ଲାପାଳ ଚାଞ୍ଚଳରାଣା ସ୍ୱାଗତ ଭାଷଣ ଦେଇଥିଲେ। ଟିଟିଲାଗଡ଼ ଉପ ଜିଲ୍ଲାପାଳ ସୋମେଷ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।

ତେବେ ଟିଟିଲାଗଡ଼ ସହରକୁ ଦୁଇ ଭାଗରେ ବିଭକ୍ତ କରୁ ଥିବା ହାଟପଡା ସ୍ଥିତ ରେଳ ଫାଟକ ଦିନକୁ ୧୮ ଘଣ୍ଟା ବନ୍ଦ ରହୁ ଥିବାରୁ ଟିଟିଲାଗଡ ସହରରେ ଟ୍ରାଫିକ ସମସ୍ୟା ଉଗ୍ରରୂପ ଧାରଣ କରିଥିଲା। ଫଳରେ ଗର୍ଭବତୀ ମହିଳା ରୋଗୀମାନେ ମେଡିକାଲ ଯିବାପାଇଁ ବହୁ ହଇରାଣ ହେଉଥିଲେ। ଯାହାକୁ ନେଇ ୧୯୮୬ ମସିହାରୁ ଆନ୍ଦୋଳନ ତେଜିବାରେ ଲାଗିଥିଲା। ପରିସ୍ଥିତିକୁ ଦେଖି ତତ୍କାଳୀନ ରେଳମନ୍ତ୍ରୀ ଭକ୍ତ ଚରଣ ଦାସ ୧୯୮୯ମସିହାରେ ପ୍ରଥମେ ଶିଳାନ୍ୟାସ କରିଥିଲେ। ପରେ ବଲାଙ୍ଗିର ତତ୍କାଳୀନ ସଂସଦ ଶରତ ପଟ୍ଟନାୟକ, ସଂଗୀତା କୁମାରୀ ସିଂ ଦେଓ, କାଲିକେଶ ନାରାୟଣ ସିଂ ଦେଓ , ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ତତ୍କାଳୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ସମେତ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଶିଳାନ୍ୟାସ କରିଥିଲେ। ହେଲେ ଓଭର ବ୍ରିଜ କାମ ଆଗେଇ ପାରିନଥିଲା। ୨୦୦୫ ମସିହାରେ ଟିଟିଲାଗଡର ଯୁବ ନେତା ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ଦ୍ୱାରା ଓଭର ବ୍ରିଜ ନିର୍ମାଣ ନେଇ ତତ୍କାଳୀନ ପୂର୍ତ୍ତମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦ୍ୱିତୀୟ ଥର ପାଇଁ ଅନଙ୍ଗ ଉଦୟ ସିଂହଦେଓ ଓଭର ବ୍ରିଜର ଶିଳାନ୍ୟାସ କରିବାପରେ କାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ବ୍ୟୟ ବରାଦ କମ ରହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ୭୨ କୋଟି ଛୁଇଁଥିଲା।
ତେବେ ନିକଟରେ ଶେଷ ହୋଇଥିବା ଏହି ଓଭର ବ୍ରିଜ ଦୀର୍ଘ ଏକ କିଲୋମିଟର ଯାଏ ଲମ୍ବି ରହିଛି ।