Thursday, April 2, 2026
37.1 C
Odisha

    କିଟ୍ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସରେ ଅତିଥିଙ୍କ ମତ : “କିଟ କେବଳ ଅନୁଷ୍ଠାନ ନୁହେଁ; ଏହା ଏକ ଦୃଷ୍ଟିକୋଣ”

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସୋମବାର କିଟ୍ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ କଲମ୍ବିଆ ହସପିଟାଲିଟି ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜନ୍ ଓପେନହାଇମର, କଲମ୍ବୋ ହୁନୁପିଟିଆ ଗଙ୍ଗାରାମାୟ ମନ୍ଦିରର ମୁଖ୍ୟ ପଦାଧିକାରୀ ଡ. କିରିଣ୍ଡେ ଆସାଜି ନାୟକ ଥେରୋ, ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଏବଂ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ବୋର୍ଡର ପ୍ରାକ୍ତନ ନିର୍ଦ୍ଦେଶକ କେ.ଏନ୍ . ଶାନ୍ତ କୁମାର ଏବଂ ତିବତୀୟ ବୌଦ୍ଧ ଧର୍ମର ଗୁରୁ ତଥା ସ୍ୱିଜରଲ୍ୟାଣ୍ଡର ରିପା ଇଣ୍ଟରନ୍ୟାସନାଲ୍ ସେଣ୍ଟରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତରୁଲ୍ ଜିଗମେ ରିନପୋଚେ ପ୍ରମୁଖ ଯୋଗଦେଇ ପ୍ରତିଷ୍ଠା ଦିବସରେ ବକ୍ତୃତା ପ୍ରଦାନ କରିଥିଲେ ।  ଏହି ଅବସରରେ ସେମାନଙ୍କୁ କିଟ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା ।

    ଏହି ପରିପ୍ରେକ୍ଷୀରେ ଉଦବୋଧନ ଦେଇ ଓପେନହାଇମର କହିଲେ, ସିଆଟେଲର କିଟ ଓ କିସ୍‍ ପରିଦର୍ଶନ କରି ସେ ଗଭୀର ଭାବରେ ଭାବପ୍ରବଣ ହୋଇଛନ୍ତି ।  କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ଏହି ସମାଜ ପ୍ରତି ତୁମର ଯେଉଁ ଅବଦାନ ରହିଛି ତାହା କିଛି କମ୍‍ ନୁହେଁ ।  ନିଜ ସଂପ୍ରଦାୟ, ପରିବାର, ଦେଶ ଓ ବିଶ୍ୱକୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାର ସୁଯୋଗ ଛାତ୍ରଛାତ୍ରୀଙ୍କ ନିକଟରେ ଅଛି ।  ଛାତ୍ରଛାତ୍ରୀମାନେ ନିଜ ହୃଦୟକୁ ଅନୁସରଣ କରିବା ଉଚିତ ।  କାରଣ ଏହା ତୁମମାନଙ୍କୁ ତୁମ ଉଦ୍ଦେଶ୍ୟ ସହିତ ଯୋଡ଼ି ରଖିବା ସହ ନିଷ୍ପତ୍ତି ନେବା ସହଜ କରିଦିଏ ।  ଯଦି ତୁମେ ତୁମ ହୃଦୟକୁ ଅନୁସରଣ କର, ତେବେ ନିଷ୍ପତ୍ତି ନେବା ସହଜ ହୋଇଯାଏ ।

    ବିଶିଷ୍ଟ ସାମ୍ବାଦିକ କେ.ଏନ୍ . ଶାନ୍ତ କୁମାର କହିଲେ, କିଟ କେବଳ ଅନୁଷ୍ଠାନ ନୁହେଁ; ଏହା ଏକ ଦୃଷ୍ଟିକୋଣ ।  ସାମ୍ବାଦିକତାରେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ନିଜ ଅଭିଜ୍ଞତା ଉପରେ ଗୁରୁତ୍ୱାରୋପ କରି ସେ କହିଲେ, ଗଣମାଧ୍ୟମର ଦୃଶ୍ୟପଟ ନାଟକୀୟ ଭାବରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ, ଏହାର ମୌଳିକ ମୂଳଦୁଆ ସ୍ଥିର ରହିଛି ।  ଆଜି, ପ୍ରତ୍ୟେକ ମିନିଟ୍ ରେ ଖବର ପ୍ରକାଶ ପାଏ ।  କିନ୍ତୁ ସତ୍ୟ, ବିଶ୍ୱସନୀୟତା, ଯାଞ୍ଚ ଓ ନୈତିକ ଖବର ପରିବେଷଣ କରିବା ସାମ୍ବାଦିକତାର ମୂଳଦୁଆ ହୋଇ ରହିଛି ବୋଲି ସେ କହିଥିଲେ।

    ଡ କିରିଣ୍ଡେ ଆସାଜି ନାୟକ ଥେରୋ କିଟ୍‍ର ପ୍ରତିଷ୍ଠା ଦିବସକୁ “ଇତିହାସର ଆଧ୍ୟାତ୍ମିକ ପୁନର୍ମିଳନ ଭାବରେ ବର୍ଣ୍ଣନା କରିଥିଲେ ।  ସେ କହିଲେ, “ମୁଁ ଅନେକ ଦେଶ ଗସ୍ତ କରିଛି, ଅନେକ ପ୍ରତିଷ୍ଠାନ ଦେଖିଛି, କିନ୍ତୁ କରୁଣା, ଶୃଙ୍ଖଳା, ମାନବତା ଓ ଦୃଷ୍ଟିକୋଣ ଆଦିର ମିଳନ ହୋଇଥିବା କିଟ୍‍ ଓ କିସ୍‍ ଭଳି ଅନୁଷ୍ଠାନ ବହୁତ କମ୍ ଦେଖିଛି କହିଥିଲେ ଡ. କିିରିଣ୍ଡେ ।

    ରିନପୋଚେ କହିଲେ, ସଫଳତା ହାସଲ କରୁଥିବା ଅନେକ ଲୋକ ଅଛନ୍ତି, କିନ୍ତୁ ବହୁତ କମ୍ ଲୋକ ନମ୍ର ହୋଇ ରହନ୍ତି ।  ମୋ ପାଇଁ, ଏହା ପ୍ରକୃତ ସଫଳତା ବୋଲି ସେ କହିଥିଲେ ।  ସେ ବ୍ୟବହାରିକ କରୁଣା ବିଷୟରେ କହିଲେ, ବ୍ୟବହାରିକ କରୁଣା ପାଇଁ ଦାର୍ଶନିକ କିମ୍ବା ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ ।  କିମ୍ବା ସମସ୍ତ ଜଟିଳ ଦର୍ଶନ ଓ ଏକାଡେମୀରେ ଏତେ ଶିକ୍ଷିତ ହେବା ଆବଶ୍ୟକ ନାହିଁ ।  କେବଳ ଅନ୍ୟମାନଙ୍କ ପ୍ରତି ଅନୁଭବ କରିବାର କ୍ଷମତାକୁ ବ୍ୟବହାରିକ କରୁଣା କୁହାଯାଏ ।  ତାଙ୍କ ଜେଜେମା’ଙ୍କ କଥା ମନେ ପକାଇ ସେ କହିଥିଲେ, “ଦାନ କରି କେହି କେବେ ଗରିବ ହୁଅନ୍ତି ନାହିଁ  ।  ଯେଉଁମାନେ ଦିଅନ୍ତି ନାହିଁ ସେମାନେ ସର୍ବଦା ଗରିବ ହୋଇ ରହନ୍ତି  ।  ଦାରିଦ୍ର୍ୟ ମନରେ ଅଛି ଦାନରେ ନାହିଁ ବୋଲି ସେ କହିଥିଲେ।

    ସ୍ୱାଗତ ଭାଷଣ ଦେଇ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ, ନୀରବ, ଦୃଢ଼ ସଂକଳ୍ପ ଓ ଏକ ଦୂରଦୃଷ୍ଟି ସହିତ କିଟ୍‍ର ଯାତ୍ରା ଆରମ୍ଭ ହୋଇଥିଲା ।  ଏହାକୁ ପଛକୁ ଫେରି ଚାହିଁ ଦେଖିଲେ, ଆମେ ଯାହା କିଛି ସଫଳତା ହାସଲ କରିଛୁ ତାହା କିଟ, କିସ ଓ କିମସର କର୍ମଚାରୀ, ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସ ଯୋଗୁଁ ହିଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ