ଝାରସୁଗୁଡ଼ା : ଖୁବଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏହି ସେବା । ଏହି ବିକାଶ ସହ ଝାରସୁଗୁଡା ପଶ୍ଚିମ ଓଡିଶାର ଆଉଏକ ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳି ପାଲଟିବାକୁ ଟାଉଛି । ଏଠାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ ପାରିବ ସାମଗ୍ରୀ । ଭୌଗଳିକ ଓ ଭିତ୍ତିଭୂମି ଦୃଷ୍ଟିକୋଣରୁ କାର୍ଗୋ ଏୟାର ପୋର୍ଟ ପାଇଁ ଝାରସୁଗୁଡ଼ା ଉପଯୁକ୍ତ ସ୍ଥାନ । ତେବେ କମ୍ ଅବଧି ଯୁକ୍ତ ଖାଦ୍ୟସାମଗ୍ରୀ ହେଉ ଅଥବା ଅନ୍ୟ କୌଣସି ଦ୍ରବ୍ୟ ସ୍ଥାନାନ୍ତର କରିବାରେ ଏହି ସେବା ବିଶେଷ ସହାୟକ ହେବ ।
ଆଗରୁ ଏଠାରେ ରୋଡ୍ ଓ ଟ୍ରେନ ଯୋଗେ ପରିବହନ ହେଉଥିବା ବେଳେ ଏବେ ବିମାନରେ କାର୍ଗୋ ପରିବହନ ଝାରସୁଗୁଡ଼ାକୁ ନୂଆ ପରିଚୟ ଦେବ । ଏନେଇ ଝାରସୁଗୁଡ଼ା ବିମାନବନ୍ଦରରେ ଆୟୋଜିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ସେବା ଆରମ୍ଭର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ କ୍ଷୁଦ୍ର ଏୟାର କାର୍ଗୋ ପରିବହନ ଆରମ୍ଭ କରାଯିବ ପରେ ଆବଶ୍ୟକତା ଅନୁଯାୟୀ ବୃହତ ଏୟାର କାର୍ଗୋ ପରିବହନ କରାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
