ହିନ୍ଦୁ ଏବଂ ସନାତନ ଧର୍ମରେ ବେଲପତ୍ର ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ବେଲପତ୍ର ବିନା ଭୋଲେନାଥଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ । କିନ୍ତୁ ଭଗବାନ ଶିବଙ୍କୁ ଦିଆଯାଇଥିବା ଏହି ପତ୍ର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ଆୟୁର୍ବେଦ ଅନୁଯାୟୀ, ବେଲପତ୍ରରେ ଅନେକ ଗୁଣ ଅଛି ଯାହା ଆମ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିଥାଏ । ଆଣ୍ଟିଅକ୍ସିଡାଣ୍ଟ ଏବଂ ପୁଷ୍ଟିକର ଉପାଦାନରେ ଭରପୂର ବେଲପତ୍ରରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ରାଇବୋଫ୍ଲାଭିନ୍, କ୍ୟାଲସିୟମ୍, ପୋଟାସିୟମ୍, ଫାଇବର, ଭିଟାମିନ୍ B1, B6, B12 ଭଳି ଜରୁରୀ ଉପାଦାନ ଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ୱାରା ଶରୀରକୁ ଶୀତଳତା ମିଳିଥାଏ । ପ୍ରକୃତରେ, ବେଲପତ୍ରର ପ୍ରକୃତି ଥଣ୍ଡା ଏବଂ ଯଦି ଆପଣ ବେଲପତ୍ର ସେବନ କରନ୍ତି, ତେବେ ଆପଣଙ୍କ ଶରୀର ଦିନସାରା ଥଣ୍ଡା ରହିବ । ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ବେଲପତ୍ର ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ତେଣୁ ଅନେକ ଲୋକ ଗ୍ରୀଷ୍ମ ଋତୁରେ ବେଲ ଶରବତ ପିଇ ଥଣ୍ଡା ଅନୁଭବ କରନ୍ତି ।
ରୋଗ ପ୍ରତିରୋଧକ ଶକ୍ତି ଦୃଢ କରେ : ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ତେବେ ଆପଣ ବେଲପତ୍ର ଖାଇବା ଉଚିତ୍ । ବେଲପତ୍ରରେ ଭିଟାମିନ୍ C ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ କାମ କରେ । ଯଦି ବେଲପତ୍ରକୁ ପ୍ରତିଦିନ ଖାଲି ପେଟରେ ଖାଇବେ, ତେବେ ଥଣ୍ଡା ଏବଂ କାଶର ସମସ୍ୟା ରହିବ ନାହିଁ ଏବଂ ଆପଣ ବାରମ୍ବାର ଅସୁସ୍ଥ ହେବେ ନାହିଁ । ଏହାକୁ ଖାଇବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୁଏ ।
କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ସାହାଯ୍ୟକାରୀ : କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତିମାନେ ନିଜ ଖାଦ୍ୟରେ ବେଲପତ୍ର ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ । ବେଲପତ୍ରରେ ଟିକେ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ଲଗେଇକି ଖାଇପାରିବେ । ଏହା ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେବ । ଏହା ଅନ୍ତନଳୀରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ସକାଳେ ବେଲପତ୍ର ସେବନ କରିବା ଦ୍ୱାରା ଗ୍ୟାସ୍, ଏସିଡିଟି ଏବଂ ବଦହଜମୀ ସମସ୍ୟାରୁ ମୁକ୍ତି ମିଳିଥାଏ ।
ହଜମ ଶକ୍ତି ବୃଦ୍ଧି କରେ : ପେଟ ସମ୍ବନ୍ଧୀୟ ରୋଗ ପାଇଁ ବେଲପତ୍ର ଅତ୍ୟନ୍ତ ଲାଭଦାୟକ । ବିଶେଷକରି ଏହାକୁ ବ୍ଲୋଟିଙ୍ଗ ଏବଂ ଗ୍ୟାସ୍ ପାଇଁ ବ୍ୟବହାର କରିବା ଉଚିତ୍ । ଏହାର ବ୍ୟବହାର ଦ୍ୱାରା ହଜମ ଶକ୍ତି ମଧ୍ୟ ଶକ୍ତିଶାଳୀ ହୁଏ । ବେଲପତ୍ର ଖାଇବା ଆପଣଙ୍କ ପେଟକୁ ସଫା କରିଥାଏ । ଏଥିରେ ଉପସ୍ଥିତ ଥିବା ଲକ୍ସାଟିଭ୍ ପ୍ରଭାବ ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ।
କିପରି ଖାଇବେ –
ଆପଣ ଅନେକ ଉପାୟରେ ବେଲପତ୍ର ବ୍ୟବହାର କରିପାରିବେ । ଆପଣ ଏହାକୁ ଏକ କାଢା ଭାବରେ ମଧ୍ୟ ବ୍ୟବହାର କରିପାରିବେ । ବେଲପତ୍ରକୁ ପାଣିରେ ଫୁଟାନ୍ତୁ ଏବଂ ପରେ ଏହାକୁ ଛାଣି ପିଅନ୍ତୁ । ଯଦି ଆପଣ ଚାହାଁନ୍ତି, ଆପଣ ବେଲପତ୍ରକୁ ସିଧାସଳଖ ଚୋବାଇ ମଧ୍ୟ ଖାଇପାରିବେ । ଖାଲି ପେଟରେ ନିୟମିତ ବେଲପତ୍ର ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ ।