ଭୁବନେଶ୍ବର : ଗତକାଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ଓ ଭୋଗ ମାରା ହୋଇଛି। ଜଣେ ଅଣହିନ୍ଦୁ ତଥା ଜାପାନ ନାଗରିକ ମନ୍ଦିର ଭିତରେ ପଶିଯିବାରୁ ବେଶ ଓ ଭୋଗ ମାରା ହୋଇଛି। ଦିଅଁଙ୍କ ଭୋଗ ପାଇଁ ପ୍ରସ୍ତୁତ ଭୋଗ ଅମୁଣିଆ କୂଅରେ ଫିଙ୍ଗା ଯାଇଥିଲା। ସାନି ମନ୍ଦିର ବେଢ଼ାରେ ସମସ୍ତ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଧୋପଖାଳ (ଚୂନପାଣି ସିଞ୍ଚନ) କରାଯାଇ ମହାସ୍ନାନ ଓ ରୋଷ ହୋମ କରାଯାଇ ଦିଅଁଙ୍କ ଅନ୍ୟାନ୍ୟ ନୀତି ହୋଇଥିଲା।
ଲିଙ୍ଗରାଜଙ୍କ ଭୋଗମଣ୍ଡପ ସରି ସାହାଣମେଲା ଦର୍ଶନ ଚାଲିଥିଲା। ବୀରକିଶୋର ବଲ୍ଲଭ ଠାରୁ ଦିଅଁଙ୍କ ବେଶ ଓ ଭୋଗ ମାରା ହୋଇଛି। ମହାସୁଆର ସେବାୟତଙ୍କ ଦ୍ବାରା ବଲ୍ଲଭ, ସନ୍ଧ୍ୟାଧୂପ, ଠାକୁରାଣୀଙ୍କ ସନ୍ଧ୍ୟାଧୂପ ଓ ଟେରାଫିଟା ଓ ବଡ଼ସିଂହାର ପାଇଁ ପ୍ରସ୍ତୁତ କାକରା, ସୋଦୁଅ ଓ ଦହିପଖାଳ ଆଦି ପ୍ରସ୍ତୁତ ହୋଇଥିବା ବେଳେ ସେସବୁ ମାରା ହୋଇଥିଲା। ସାନି ରୋଷହୋମ ହୋଇ ଭୋଗ କରାଯିବା ପରେ ଦିଅଁଙ୍କ ଭୋଗ ପ୍ରସ୍ତୁତ କରାଯାଇ ଦିଅଁଙ୍କ ନୀତି କରାଯାଇଥଲା। ସେବାୟତମାନେ ରାତି ୩ଟାରେ କାଠୁଆ ଶୀତରେ ଉଠି ଦିଅଁଙ୍କ ନୀତି କରୁଥିବା ବେଳେ ସିଂହଦ୍ବାର ସାମ୍ନାରେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କ ଦାୟିତ୍ବହୀନ କାର୍ଯ୍ୟ ଓ ମନ୍ଦିର ପ୍ରଶାସନ ଢିଲାପଣ ଯୋଗୁଁ ଦିଅଁଙ୍କ ବେଶ ଓ ନୀତି ମାରା ହେଉଥିବା ସେବାୟତ ନିଯୋଗ ସମ୍ପାଦକ ବିରଞ୍ଚିନାରାୟଣ ପତି ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ କମିସନରେଟ ପୁଲିସ ପକ୍ଷରୁ ମନ୍ଦିର ବେଢ଼ାରେ ଫାଣ୍ଡି ପୁଲିସ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଜଣେ ଓଡ଼ିଆ ଯାତ୍ରୀ ଜାପାନର ଜଣେ ଯାତ୍ରୀଙ୍କୁ ସାଙ୍ଗରେ ଧରି ଦିଅଁ ଦର୍ଶନ କରିବାକୁ ଯିବା ବେଳେ ଭୋଗ ମଣ୍ଡପ ନିକଟ ଦୀପ ଷ୍ଟାଣ୍ଡ ନିକଟରେ ମନ୍ଦିର ଭିତର ଫାଣ୍ଡି ପୁଲିସ ଅଟକାଇ ପଚରାଉଚରା କରିବା ପରେ ସେ ଜାପାନର ନାଗରିକ ବୋଲି ଜଣାପଡ଼ିଥିଲା। ଶେଷରେ ପୁଲିସ ଓଡ଼ିଆ ଯାତ୍ରୀଙ୍କ ସହ ବିଦେଶୀଙ୍କୁ ମନ୍ଦିର କାର୍ଯ୍ୟାଳୟ ଜିମା ଦେଇଥିଲା। ଜାପାନ ନାଗରିକ ଭୁବନେଶ୍ବରକୁ ଏକ ଘରୋଇ କମ୍ପାନୀ କାର୍ଯ୍ୟରେ ଆସିଥିଲେ। କମ୍ପାନୀର କର୍ମଚାରୀ ତାଙ୍କୁ ମନ୍ଦିର ଦର୍ଶନ କରିବାକୁ ଆଣିଥିବା ମନ୍ଦିର ପ୍ରଶାସନ ଜାଣିବାକୁ ପାଇଛି। ସମ୍ପୃକ୍ତ ଜାପାନ ନାଗରିକଙ୍କ ଫ୍ଲାଇଟ ସମୟ ହୋଇଯିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି। ହେଲେ ସାଙ୍ଗରେ ଆସିଥିବା ଓଡ଼ିଆ ଯାତ୍ରୀଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ତାଗିଦ୍ କରିବା ପରେ ଛଡ଼ା ଯାଇଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି। ମନ୍ଦିର ବାହାରେ ସିଂହଦ୍ବାର ଆଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ପକ୍ଷରୁ ୨୪ଘଣ୍ଟିଆ ପୁଲିସ ମୁତୟନ କରାଯାଇଛି। ସେମାନଙ୍କ ଢ଼ିଲାପଣ ଯୋଗୁଁ ବିଦେଶୀ ନାଗରିକ ମନ୍ଦିର ଭିତରକୁ ପଶିଯିବା ସହଜ ହେଉଛି। ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ଥାନା ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି, କୌଣସି ନାଗରିକଙ୍କ ଜାତି ଯାଞ୍ଚ କରିବା ପୁଲିସର କାମ ନୁହେଁ। ମନ୍ଦିର କର୍ମଚାରୀ ପଚାରି କିଏ ଭିତରକୁ ଯିବ ତାହା ସେମାନେ ସ୍ଥିର କରନ୍ତି ବୋଲି ସେ କହିଛନ୍ତି।

